ନୀତୀଶଙ୍କ ଜିଲ୍ଲାରେ, ୨ ଦଳିତଙ୍କୁ ହତ୍ୟା

ପାଟଣା: ବିହାରର ନାଳନ୍ଦା ଜିଲ୍ଲାରେ ଶୁକ୍ରବାର ରାତି ଦୁଇ ମହାଦଳିତଙ୍କୁ ହତ୍ୟା କରାଯାଇଛି। ନାଳନ୍ଦା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହି ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅନୁସୂଚିତ ଜାତିର ଜାତୀୟ କମିସନ ଏହି ହତ୍ୟାକାଣ୍ଡର ସବିଶେଷ ତଥ୍ୟ ମାଗିଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଗତ ରାତିରେ ଦୀପ୍‌ନଗର ପୋଲିସ ଥାନା ଅନ୍ତର୍ଗତ ନଦିୟୋନ୍‌ ଗ୍ରାମରେ ବିଷ୍ଣୁଦେଓ ମାଂଝୀ ଏବଂ ତାଙ୍କ ପୁଅ ଆନନ୍ଦି ମାଂଝୀ ଘର ବାହାରେ ସୋଇଥିବା ବେଳେ ତାଙ୍କୁ କିଛି ଅଜଣା ଅତତାୟୀ ଗୁଳିମାରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଦଳିତଲୋକେ ପ୍ରଶାସନ ବିରୋଧରେ ସ୍ଲୋଗାନ୍‌ ଦେବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ଦାବି କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ରାଶି ତୁରନ୍ତ ଦେବାକୁ ଦାବି କରାଯାଇଛି। ତେବେ ଏହି ହତ୍ୟାକାଣ୍ଡରେ ପୋଲିସ ଏଯାବତ କାହାରିକୁ ଗିରଫ କରିନଥିବା ପ୍ରକାଶ। ବାଲି ମାଫିଆ ଏହି ହତ୍ୟାକାଣ୍ଡ ରଚିଥିବା ଅଭିଯୋଗ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାଦଳିତ ନେତା ରାମ ମାଂଝୀ ହତ୍ୟାର ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଥିବା ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଉକ୍ତ ଗ୍ରାମର ମହାଦଳିତ ଜାତିର ଦୁଇ ଭାଇଙ୍କୁ ୨୦୧୭, ମାର୍ଚ୍ଚ ୩୧ ରେ ହତ୍ୟା କରାଯାଇଥିଲା। ସେହି ହତ୍ୟାକାଣ୍ଡର ମୃତକମାନେ ବିଷ୍ଣୁଦେଓ ମାଂଝୀଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର