ଶ୍ରୀନଗରରେ ୨ ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌ କର୍ମୀଙ୍କୁ ଗୁଳି ମାରି ହତ୍ୟା

ଶ୍ରୀନଗର: ଶୁକ୍ରବାର ଦିନ ଶ୍ରୀନଗର ସହର ଅନ୍ତର୍ଗତ ହବ୍ଦାକଦଲ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ‘ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ର ଦୁଇ ଜଣ କର୍ମୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

‘କଶ୍ମୀର ଗ୍ଲୋରି’ ନାମକ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ କରଫାଲି ମହଲା ଠାରେ ହବ୍ଦାକଦଲ୍‌ ନିର୍ବଚନ ମଣ୍ଡଳୀର ଏନ୍‌ସି ବିଧାୟକ ଶମିମା ଫିର୍‌ଦୌସ୍‌ଙ୍କ ଘନିଷ୍ଠ ସହଯୋଗୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣର ବାସ୍ତବ କାରଣ ଜଣାପଡ଼ି ନାହିଁ। ନିରାପତ୍ତା ରକ୍ଷୀମାନେ ଆତଙ୍କବାଦୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ।

ଘଟନାରେ ଏନ୍‌ସିର ତିନି ଜଣ କର୍ମୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି।

କିନ୍ତୁ, ସାଙ୍ଘାତିକ ଆହତ ହୋଇ ଥିବା ମୁସ୍‌ତାକ୍‌ ଅହମଦ୍‌ ଓ୍ଵାନି ଏବଂ ନାଜିର୍‌ ଅହମଦ୍‌ ଓ୍ଵାନି ଡାକ୍ତରଖାନା ଯିବା ବାଟରେ ମରି ଯାଇଛନ୍ତି।
ଘଟନା ସଂକ୍ରାନ୍ତରେ ନିଶ୍ଚିତ କରି ଜଣେ ପୁଲିସ ଅଧିକାରୀ କହନ୍ତି ଯେ ଆତତାୟୀଙ୍କୁ ଧରିବାକୁ ତଲାସ ଆରମ୍ଭ ହୋଇଛି।

 

ସମ୍ବନ୍ଧିତ ଖବର