ହାଇଦ୍ରାବାଦ୍‌: ପରୀକ୍ଷା ଦେବାର ଗୋଟିଏ ଦିନ ପରେ ଫେଲ୍‌ ହେବା ଭୟରେ ଦୁଇ ଜଣ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଜଙ୍ଗା ପୂଜା ଏବଂ ରାୟି ମନୋଜ କୁମାର ତେଲେଙ୍ଗାନାର ହୋଇଥିବା ବେଳେ ସେମାନେ ଫଳାଫଳ ବାହାରିବା ପୂର୍ବରୁ ହିଁ ଫାଶୀ ଲଗାଇ ଜୀବନ ହାରିଥିବା ଜାଣିବାକୁ ମିଳିଛି। 

Advertisment

ଜଗତିଆଲ ଜିଲ୍ଲାର ଜଙ୍ଗା ପୂଜା ପ୍ରଥମ ଥର ପାଇଁ ୨୦୨୩ ମସିହାରେ ନିଟ୍‌ ପରୀକ୍ଷା ଦେଇଥିଲେ। ସେଥିରେ ସେ ଆଶାନୁରୁପ ରାଙ୍କ୍‌ ରଖି ପାରିନଥିଲେ। ଏହାପରେ ସେ ପ୍ରବେଶିକା ପରୀକ୍ଷାରେ ଭଲ କରିବା ଆଶାରେ ଭଲ ପ୍ରସ୍ତୁତି ପାଇଁ ଏକ କୋଚିଂ କ୍ଲାସରେ ନାମ ଲେଖାଇଥିଲେ। ଜଙ୍ଗା ଚଳିତବର୍ଷ ମେ ୪ ତାରିଖରେ ପୁଣି ଥରେ ପରୀକ୍ଷା ଦେଇଥିଲେ।

ହେଲେ ସେ ଭୟଭୀତ ଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ଉତ୍ତରଗୁଡ଼ିକୁ କ୍ରସ-ଚେକ୍ କରିଥିଲେ ଏବଂ ଭାବିଥିଲେ ଯେ ସେ ଏଥର ମଧ୍ୟ ଭଲ ରାଙ୍କ ପାଇବେ ନାହିଁ। ସେଥିପାଇଁ ସେ ଜୀବନ ହାରିବାକୁ ଚିନ୍ତା କରିଥିଲେ। 

ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଆଉ ଜଣେ ନିଟ୍‌ ଆଶାୟୀ ରାୟି ମନୋଜ କୁମାର ମଧ୍ୟ ନିଟ୍‌ ପରୀକ୍ଷାରେ ଭଲ ପ୍ରଦର୍ଶନ ନକରିବା ଆଶଙ୍କା କରି ଜୀବନ ହାରିଛନ୍ତି। ଜଣେ ଶିକ୍ଷକଙ୍କ ପୁଅ ମନୋଜ ହାଇଦ୍ରାବାଦରେ କୋଚିଂ ନେଇଥିଲେ। ସେ ପରୀକ୍ଷା ଦେବା ପରେ ସୋମବାର ଘରକୁ ଫେରିଥିଲେ ଏବଂ ଆତ୍ମହତ୍ୟା କରିଥିଲେ।