ଚଣ୍ଡୀଗଡ଼: ପଞ୍ଜାବରେ ଥିବା ଅମୃତସରର ସ୍ବର୍ଣ୍ଣ ମନ୍ଦିର ନିକଟରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି। ବୁଧବାର ମନ୍ଦିର ନିକଟରେ ତମାଖୁ ସେବନ କରୁଥିବା ଜଣେ ବ୍ୟକ୍ତିଙ୍କୁ ୨ଜଣ ନିହଙ୍ଗ ଶିଖ୍ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଦୁଇଜଣ ନିହଙ୍ଗଙ୍କ ସହ ଏହି ଘଟଣାରେ ହୋଟେଲର ଜଣେ ୱେଟର ମଧ୍ୟ ଜଡିତ ଥିବା ସାମ୍ନାକୁ ଆସିଛି। ମହାନା ସିଂ ରୋଡରେ ଥିବା ଏକ ହୋଟେଲ ବାହାରେ ଏହି ବ୍ୟକ୍ତି ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକଜଣକ ଚଟ୍ଟିବିଙ୍ଗ ଗାଁର ହରମନଜିତ ସିଂ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ସୁବର୍ଣ୍ଣ ମନ୍ଦିରଠାରୁ ମାତ୍ର ୮୦୦ମିଟର ଦୂରରେ ଏହି ଘଟଣା ଘଟିଛି। ହୋଟେଲରେ ସ୍ଥାପିତ ସିସିଟିଭି କ୍ୟାମେରାରେ ମଧ୍ୟ ଏହି ଘଟଣା ରେକର୍ଡ କରାଯାଇଛି ଏବଂ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରେ, ରାତି ପ୍ରାୟ ୧ଟା ସମୟରେ ଦୁଇଜଣ ନିହଙ୍ଗ ଉକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଏହା ପରେ ଦୁହେଁ ଚଟ୍ଟିବିଙ୍ଗ ଗାଁର ହରମନଜିତ ସିଂଙ୍କୁ ଖଣ୍ଡାରେ ଆକ୍ରମଣ କରୁଛନ୍ତି।
A person who was killed by the Nihang Singh has gone viral on #SocialMedia. In reaction, @cpamritsar identified the individuals, one accused has been arrested, and raids are being carried out to apprehend the remaining suspects. #ActionAgainstCrimepic.twitter.com/QfPP8wu58m
— Commissioner of Police Amritsar (@cpamritsar) September 8, 2022
ଆକ୍ରମଣ କରିଥିବା ତିନି ଜଣଙ୍କ ମଧ୍ୟରୁ ହୋଟେଲରେ ୱେଟର ଥିବା ରମନଦୀପ ସିଂଙ୍କୁ ପୁଲିସ ଗିରଫ କରିଛି। ରମନଦୀପ ସିଂ ଅମୃତସରର ଖାଲସା କଲେଜର ବାସିନ୍ଦା। ଏହି ଆକ୍ରମଣର ଭିଡିଓରେ ରମଣଦୀପ ସିଂ ମଧ୍ୟ ନଜର ଆସିଛନ୍ତି। ଏହାକୁ ଭିତ୍ତି କରି ପୁଲିସ ତାଙ୍କୁ ଗିରଫ କରିଛି। ଅମୃତସର ପୁଲିସ କମିଶନର ଅରୁଣ ପାଲ ସିଂ କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ଅନୁଯାୟୀ ହରମନଜିତ ମଦ୍ୟପାନ କରି ତମାଖୁ ଖାଉଥିଲେ। ତାଙ୍କୁ ଦେଖି ୨ଜଣ ନିହଙ୍ଗ ଶିଖ୍ ସ୍ବର୍ଣ୍ଣ ମନ୍ଦିର ନିକଟରେ ରହିବାକୁ ତାଙ୍କୁ ମନା କରିଥିଲେ। ଏହାକୁ ନେଇ ବଚସା ହେବା ସହ ହତ୍ୟାକାଣ୍ଡ ଘଟିଥିଲା। ହେଲେ ଏବେ ଆମେ ସତ କ’ଣ ଜାଣିନାହୁଁ। ତଦନ୍ତ ଆରମ୍ଭ ହୋଇଛି।