ଗ୍ରାମୀଣ ଭାରତରେ ଥିବା ପ୍ରତି ୩ ଜଣ ଡାକ୍ତରମାନଙ୍କ ମଧ୍ୟରୁ ୨ଜଣଙ୍କର ଆନୁଷ୍ଠାନିକ ଡାକ୍ତରୀ ଡିଗ୍ରି ନାହିଁ: ଅଧ୍ୟୟନ

ନୂଆଦିଲ୍ଲୀ: ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ପ୍ରତି ୩ ଜଣ ଡାକ୍ତରଙ୍କ ମଧ୍ୟରୁ ଅନ୍ୟୂନ ୨ଜଣଙ୍କର ଆଧୁନିକ ଔଷଧ ପଦ୍ଧତି ସଂକ୍ରାନ୍ତ ଶିକ୍ଷାଗତ ଯୋଗ୍ୟତା ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ନୂଆଦିଲ୍ଲୀର ‘ସେଣ୍ଟର୍‌ ଫର୍ ପଲିସି ରିସର୍ଚ’ (ସିପିଆର୍) ଦେଶର ୧୯ଟି ରାଜ୍ୟର ୧, ୫୧୯ଟି ଗାଁରେ କରିଥିବା ଏହି ଅଧ୍ୟୟନ ‘ସୋସିଆଲ୍ ସାଇନ୍‌ସ୍ ଆଣ୍ଡ୍ ମେଡିକାଲ୍ ଜର୍ଣ୍ଣାଲ୍‌’ରେ ପ୍ରକାଶ ପାଇଛି। ୨୦୦୯ ମସିହାରେ ଏହି ଅଧ୍ୟୟନ କରାଯାଇଥିଲା ଏବଂ ଆଜି ଦିନରେ ମଧ୍ୟ ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟ ସେବା ପ୍ରାୟ ସେହି ଭଳି ରହିଛି ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଜିଷ୍ଣୁ ଦାସ କହିଛନ୍ତି।

ଏଥିରୁ ଜଣାପଡ଼ିଛି ଯେ, ୭୫% ଗାଁରେ ଅନ୍ୟୂନ ଜଣେ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଅଛନ୍ତି। ପ୍ରତି ଗ୍ରାମରେ ଥିବା ହାରାହାରି ତିନିଜଣ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରୁ ୮୬% ହେଉଛନ୍ତି ଘରୋଇ ଡାକ୍ତର ଏବଂ ସେମାନଙ୍କ ମଧ୍ୟରୁ ୬୮% ଆନୁଷ୍ଠାନିକ ଡାକ୍ତରୀ ତାଲିମ ପାଇ ନାହାନ୍ତି।

Image Courtesy of News 18

୨୦୧୬ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଇଥିବା ରିପୋର୍ଟ ‘ଦ ହେଲ୍‌ଥ୍‌ ୱାର୍କଫୋର୍ସ ଇନ୍ ଇଣ୍ଡିଆ’କୁ ମଧ୍ୟ ଏହି ଅଧ୍ୟୟନ ସମର୍ଥନ କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଭାରତରେ ଏଲୋପ୍ୟାଥି ପ୍ରାକ୍ଟିସ୍ କରୁଥିବା ୫୭.୩% ଡାକ୍ତରଙ୍କର ଡାକ୍ତରୀ ଶିକ୍ଷା ନାହିଁ ଏବଂ ସେମାନଙ୍କ ମଧ୍ୟରୁ ୩୧.୪% ମାତ୍ର ସେକେଣ୍ଡାରି ସ୍କୁଲ୍ ସ୍ତରଯାଏଁ ପାଠ ପଢ଼ିଛନ୍ତି।

‘ସିପିଆର୍’ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିହାର ଏବଂ ଉତ୍ତର ପ୍ରଦେଶରେ ଥିବା ତାଲିମପ୍ରାପ୍ତ ଡାକ୍ତରଙ୍କ ଠାରୁ ତାମିଲନାଡୁ ଏବଂ କର୍ଣ୍ଣାଟକରେ ଅଣଆନୁଷ୍ଠାନିକ ଭାବେ ତାଲିମ ପାଇଥିବା ସ୍ବାସ୍ଥ୍ୟ ସେବାକାରୀଙ୍କ ସଂଖ୍ୟା ଅଧିକ ଏବଂ ଜ୍ଞାନ ମଧ୍ୟ ଉତ୍ତମ।

ଏ ଭଳି ହେବାର କାରଣ ତାଲିମରେ ହିଁ ନିହିତ ରହିଛି। ସମଗ୍ର ଦେଶରେ ଏମ୍‌ବିବିଏସ୍‌ ଡିଗ୍ରିର ମାନରେ ବି ବହୁ ତାରତମ୍ୟ ରହିଛି। ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କରେ ଏମ୍‌ବିବିଏସ୍‌ ଡିଗ୍ରି ଉତ୍ତରାଞ୍ଚଳ ରାଜ୍ୟମାନଙ୍କ ଠାରୁ ଖୁବ୍ ଉତ୍ତମ। ଅଣଆନୁଷ୍ଠାନିକ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ କୌଣସି ଆନୁଷ୍ଠାନି ଶିକ୍ଷାପ୍ରାପ୍ତ ଡାକ୍ତରଙ୍କ ପାଖରେ ଜଣେ କମ୍ପାଉଣ୍ଡର୍ କିଂବା ଆଟେଣ୍ଡାଣ୍ଟ୍‌ ଭାବେ ଅଳ୍ପ କେଇ ବର୍ଷ କଟାଇ ଥାଆନ୍ତି। ସେତେବେଳେ ସେମାନେ ଯେଉଁ ଭଳି କାମ କରି ଥାଆନ୍ତି, ତାହା ଉପରେ ମଧ୍ୟ ସେମାନଙ୍କ ଜ୍ଞାନ ନିର୍ଭର କରିଥାଏ। ତେଣୁ ଅଣଆନୁଷ୍ଠାନିକ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଏମ୍‌ବିବିଏସ୍ ଡାକ୍ତରଙ୍କ ମାନ ସମାନ୍ତରଳ ଗତିରେ ଚାଲିଥାଏ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଜିଷ୍ଣୁ ଦାସ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର