ଜମ୍ମୁ : ପାକିସ୍ତାନୀ ଆକ୍ରମଣକୁ ବିଫଳ କଲା ଭାରତୀୟ ସେନା, ଦୁଇ ପାକ୍‌ କମାଣ୍ଡୋ ମୃତ

ଶ୍ରୀନଗର : ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ପ୍ରବେଶ କରିବା ମହଙ୍ଗା ପଡ଼ିଛି ପାକିସ୍ତାନର ଦୁଇ କମାଣ୍ଡୋଙ୍କୁ । ଭାରତୀୟ ସେନା ଗୁଳିରେ ପାକିସ୍ତାନ ସେନାର ଏହି ଦୁଇ କମାଣ୍ଡୋ ନିହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ କମାଣ୍ଡୋ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି)ର ସଦସ୍ୟ ବୋଲି ଜଣାପଡ଼ିଛି । ତେବେ ସେମାନଙ୍କ ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜମ୍ମୁ ଓ କଶ୍ମୀର ପୁଞ୍ଚ ଜିଲ୍ଲାରେ ଥିବା ସୁନ୍ଦରବନି ସେକ୍ଟରରେ ଥିବା ନାଥୁଆ କା ଟିବ୍ଦା ଅଞ୍ଚଳରେ ପ୍ରବେଶ କରି ଏହି କମାଣ୍ଡୋ ଓ ପାକିସ୍ତାନ ସେନାର ଆଉ କେତେକ ଯବାନ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ସତର୍କଥିବା ଭାରତୀୟ ସେନାର ପ୍ରତିଆକ୍ରମଣରେ ସେମାନେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ । ଏହି ଗୁଳିବିନିମୟ ବେଳେ ଉଭୟ ପକ୍ଷରୁ ରକେଟ ଲଞ୍ଚର ଓ ମୋର୍ଟାର ମାଡ କରାଯାଇଥିଲା । ଏହି ଘଟଣାରେ ଭାରତୀୟ ସେନାର ରାଉଫଲମ୍ୟାନ ସୁଖବିନ୍ଦର ସିଂ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ପାକିସ୍ତାନ ପକ୍ଷର ଅଧିକ କ୍ଷତି ହୋଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧିତ ଖବର