ପାକିସ୍ତାନ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ଚୀନ ନିର୍ମିତ ବିମାନ, ଚିନ୍ତାରେ ଇସଲାମାବାଦ

ଇସଲାମାବାଦ : ପାକିସ୍ତାନର ମିଆନଓ୍ଵାଲିଠାରେ ପାକିସ୍ତାନ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଫଳରେ ସେଥିରେ ଥିବା ୨ ଜଣ ପାଇଲଟ ନିହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାରଦିନ ମିଆନଓ୍ଵାଲି ସ୍ଥିତ ଏମ.ଏମ. ଆଲମ ଏୟାରବେସ୍‌ ନିକଟରେ ପାକିସ୍ତାନ ବାୟୁସେନାର ଏଫଟି-୭ ବିମାନ ଉଡ଼ାଣ ଆରମ୍ଭ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଥିଲା । ଏହା ଫଳରେ ବିମାନରେ ଥିବା ପାକିସ୍ତାନ ବାୟୁସେନାର ସ୍କ୍ଵାର୍ଡନ ଲିଡର ହ୍ୟାରିସ ବିନ ଖାଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୁର ରେହେମାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

@ShivAroor

ଏହି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ । ପାକିସ୍ତାନ ବାୟୁସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଫଟି-୭ ବିମାନ ଚୀନରେ ନିର୍ମିତ । ପାକିସ୍ତାନ ବାୟୁସେନାରେ ଏବେ ୫୦ଟି ଚୀନ ନିର୍ମିତ ବିମାନ ରହିଛି । ତେବେ ଏହି ବିମାନଗୁଡ଼ିକ ନିୟମିତଭାବେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ପାକିସ୍ତାନର ଚିନ୍ତା ବଢିଯାଇଛି । ଗତ ବର୍ଷ ଜାନୁଆରି ମାସରେ ପାକିସ୍ତାନ ବାୟୁସେନାର ଏପରି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣ ନିହତ ହୋଇଥିଲେ । ଗତବର୍ଷ ଜୁଲାଇ ୧୮ରେ ପାକିସ୍ତାନ ବାୟୁସେନାର ଏକ ବିମାନ ରାଓ୍ଵଲପିଣ୍ଡି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ସେନା କର୍ମଚାରୀଙ୍କ ସମେତ ୧୮ ଜଣ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର