ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ପାଇଲଟ

ନୂଆଦିଲ୍ଲୀ: ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ଜଣ ପାଇଲଟ। ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ କରିଥିଲା ​​ଏବଂ ଏହାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) ସହିତ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ପରେ ଏନେଇ ଯାଞ୍ଚ କରାଯିବାରୁ ବୋମ୍ଡିଲାର ପଶ୍ଚିମରେ ଥିବା ମଣ୍ଡଲା ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା। ଦୁର୍ଘଟଣାର ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଥିବା ଉଭୟ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଥିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା । ସଦ୍ୟ ସୂଚନା ଅନୁଯାୟୀ, ହେଲିକପ୍ଟର ଚଳାଉଥିବା ଦୁଇ ପାଇଲଟ୍ ଲ୍ୟୁଟନାଣ୍ଟ କଲୋନେଲ୍ ଭିଭିବି ରେଡ୍ଡି ଓ ମେଜର ଜୟନାଥ ଏ ଦୁର୍ଘଟଣାରେ ପ୍ରା‌ଣହରାଇଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ ପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଏବେ ଶେଷ କରାଯାଇଛି।

ଘଟଣା ବିଷୟରେ ଖବର ପାଇ ଭାରତୀୟ ସେନା, ସଶସ୍ତ୍ର ସୀମା ବଳ ଏବଂ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ପାଞ୍ଚଟି ସର୍ଚ୍ଚ ପାର୍ଟି ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହା ପରେ ବିମାନର ଧ୍ୱଂସାବଶେଷ ମଣ୍ଡାଲାର ପୂର୍ବ ଗ୍ରାମ ବଙ୍ଗଳାଜାପ ନିକଟରେ ଦେଖିବାକୁ ମିଳିଥିଲା ବୋଲି ସେନା କହିଛି। ଏବେ ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର ଦୁର୍ଘଟଣାର ଶିକାର ହେବା ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ଅକ୍ଟୋବର ୨୦୨୨ରେ ତୱାଙ୍ଗରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିଲା। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କ ମଧ୍ୟରୁ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର