ମଝି ­­ଆକାଶରେ ଟଳିଗଲା ବଡ଼ ବିପଦ, ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀବାହୀ ବିମାନ

କଲମ୍ବୋ : ଭୂପୃଷ୍ଠଠାରୁ ପ୍ରାୟ ୩୫ ହଜାର ଫୁଟ ଉଚ୍ଚରେ ପରସ୍ପରଠାରୁ ମାତ୍ର ୧୫ ମାଇଲ ଦୂରରେ ଥିବା ଦୁଇଟି ଯାତ୍ରୀବାହୀ ବିମାନ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଶ୍ରୀଲଙ୍କାନ ଏୟାରଲାଇନ୍ସର ୟୁଏଲ ୫୦୪ ବିମାନ ହୋଇଥିବା ବେଳେ ଅନ୍ୟଟି ବ୍ରିଟିଶ ଏୟାରଓ୍ବେଜର ଏକ ବିମାନ । ଶ୍ରୀଲଙ୍କା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ଅତ୍ୟାଧୁନିକ ଯୋଗାଯୋଗ ଟେକନଲୋଜୀ ଯୋଗୁଁ ଏହି ବିପର୍ଯ୍ୟୟକୁ ଏଡାଇ ଦିଆଯାଇଥିଲା।

ଘଟଣାଟି ଘଟିଥିଲା ଗତ ୧୩ ତାରିଖରେ । ପ୍ରାୟ ୨୭୦ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାନ ଏୟାରଲାଇନ୍ସର ବିମାନ ୟୁଏଲ୫୦୪ ଲଣ୍ଡନରୁ କଲମ୍ବୋ ଫେରୁଥିଲା । ତୁର୍କୀ ଆକାଶରେ ପ୍ରବେଶ କରିବା ପରେ ବିମାନର ପାଇଲଟ ଅଙ୍କାରାର ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କଲେ । ସେତେବେଳେ ବିମାନଟି ୩୩ ହଜାର ଫୁଟ ଉଚ୍ଚରେ ଉଡୁଥିଲା । ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ପକ୍ଷରୁ ବିମାନକୁ ୩୫ ହଜାର ଫୁଟ ଉଚ୍ଚକୁ ଯିବାକୁ କୁହାଗଲା । ତେବେ ପାଇଲଟ ଜାଣିପାରିଲେ ଯେ ୩୫ ହଜାର ଫୁଟରେ ଆଉ ଏକ ବିମାନ ଉଡୁଛି । ଏଣୁ ସେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକୁ ପାଳନ କଲେ ନାହିଁ । କିଛି ସମୟରେ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ନିଜର ଭୁଲ ବୁଝିପାରି ୩୫ ହଜାର ଫୁଟ ଉଚ୍ଚକୁ ନ ଯିବାକୁ ପରାମର୍ଶ ଦେଇଥିଲେ ।

ଯଦି ଶ୍ରୀଲଙ୍କାର ପାଇଲଟ ତୁର୍କୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ନିର୍ଦେଶ ମାନ ୩୫ ହଜାର ଫୁଟକୁ ଯାଇଥାନ୍ତେ ତେବେ ଅନର୍ଥ ହୋଇଯାଇଥାନ୍ତା । କାରଣ ସେହି ଉଚ୍ଚତାରେ ଉଡୁଥିଲା ଦୁବାଇ ଅଭିମୁଖେ ଯାଉଥିବା ବ୍ରିଟିଶ ଏୟାରଓ୍ବେଜ ବିମାନ ଓ ତାହା ମାତ୍ର ୧୫ ମାଇଲ ଦୂରରେ ଥିଲା । ଏହି ବିମାନରେ ପ୍ରାୟ ୨୫୦ ଯାତ୍ରୀ ଥିଲେ । ଶ୍ରୀଲଙ୍କାନ ଏୟାରଲାଇନ୍ସ ପକ୍ଷରୁ ନିଜ ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରସଂଶା କରାଯାଇଛି । ଏହା ଫଳରେ ୫୦୦ରୁ ଅଧିକ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।

ସମ୍ବନ୍ଧିତ ଖବର