କାଶ୍ମୀରରେ ବରଫ ଅତଡ଼ା ଧସି ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଓଡ଼ିଆ ସ୍ନୋ ସ୍କିୟର ରଂଜିତା

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗୁଲ୍‌ମାର୍ଗ ସ୍କି ରି‌ସୋର୍ଟରେ ଆଜି ବରଫ ଅତଡ଼ା ଧସି ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ହୋଇଛି। ଉତ୍ତର କାଶ୍ମୀର ବାରମୁଳା ଜିଲ୍ଲାର ଏକ ପ୍ରସିଦ୍ଧ ସ୍କି ରିସୋର୍ଟ ଗୁଲ୍‌ମାର୍ଗର ଅଫରୱତ ପର୍ବତ ଶିଖରରେ ବରଫ ଅତଡ଼ା ଧସିଛି। ହପତଖୁଦ କଙ୍ଗଦୋରି ସ୍କି ସ୍ଲୋପ୍‌ରେ ୨୧ ବିଦେଶ ନାଗରିକଙ୍କର ୩ଟି ଟିମ୍‌ ଥିବାବେଳେ ଏକ ବିଶାଳ ବରଫ ଅତଡ଼ା ସେମାନଙ୍କ ଉପରେ ଖସିଥିଲା। ଏଥିଯୋଗୁଁ ୨ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୧୯ ଜଣଙ୍କୁ ବାରମୁଳା ଜିଲ୍ଲା ପୁଲିସ ଦ୍ବାରା ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଯେଉଁ କେବୁଲ କାର୍‌ରେ ପର୍ଯ୍ୟଟକମାନଙ୍କୁ ୧୪ ହଜାର ଫୁଟ ଅଫରୱତ ପର୍ବତକୁ ନିଆଯାଏ ସେହି କେବୁଲ କାର୍‌ରେ ଆଜି ଉଦ୍ଧାର କାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଫରୱତ ଅଞ୍ଚଳ ଏହାର ସ୍କି ‌ସ୍ଲୋପ୍‌ ପାଇଁ ପ୍ରସିଦ୍ଧ। ଶୀତଦିନେ ଏଠାରେ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମେ।

ମ୍ମୁକାଶ୍ମୀରର ଗୁଲ୍‌ମାର୍ଗରେ ହୋଇଥିବା ହିମସ୍କଲନରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଡ଼ିଆ ସ୍ନୋ ସ୍କିୟର ରଂଜିତା ମହାରଣା। ରଂଜିତା ହିମସ୍ଖଳନ ହେଉଥିବା ଦେଖିବା ପରେ ତୁରନ୍ତ ବାମପାର୍ଶ୍ବକୁ ଚାଲିଯାଇ ନିଜ ଜୀବନ ରକ୍ଷା କରିପାରିଛନ୍ତି। ନିଖୋଜ ଖେଳାଳିମାନଙ୍କୁ ଖୋଜିବା ପାଇଁ ବାରମୁଳା ପୁଲିସ୍‌ ଓ ସ୍ଥଳସେନା ତରଫରୁ ଉଦ୍ଧାର କାର୍ଯ୍ୟ ‌ତ୍ବରାନ୍ବିତ କରାଯାଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିବା ପରେ ରଂଜିତା ଚେତାଶୂନ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ନୂଆ ଜୀବନ ପାଇଁ ପ୍ରଭୂ ଜଗନ୍ନାଥଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର