ରାତି ଅଧରେ ଫେରୁଥିବା ସ୍ୱାମୀ-ସ୍ତ୍ରୀଙ୍କ ପାଖରୁ ଫାଇନ ମାଗି ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମଚାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ବିଳମ୍ବିତ ରାତିରେ ବୁଲୁଥିବା ଦମ୍ପତିଙ୍କଠାରୁ ପୁଲିସ ଜରିମାନା ଆଦାୟ କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି | ପୁଲିସ ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରି ଏହି ଦମ୍ପତି ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନେକ ଟୁଇଟ୍ ଜରିଆରେ ଏହି ଦମ୍ପତି ପୁଲିସର ଶୋଷଣ, ନିୟମ ଭାଙ୍ଗିବା ନାମରେ ସେମାନଙ୍କଠାରୁ କିପରି ଜରିମାନା ଆଦାୟ ହୋଇଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି। ବେଙ୍ଗାଲୁରୁରେ ପାଟ୍ରୋଲିଂ ନାମରେ ଜଣେ ଦମ୍ପତିଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦୁଇଜଣ ପୁଲିସଙ୍କୁ ରବିବାର ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଜନ୍ମଦିନ ଭୋଜିରେ ଯୋଗଦେବା ପରେ ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିଲେ, ଆଉ ପୁଲିସ ସେମାନଙ୍କୁ ଅଟକାଇଥିଲା। ଦମ୍ପତିଙ୍କ କହିବା ଅନୁଯାୟୀ ସେ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିଲେ। ଅଭିଯୋଗ ଅନୁଯାୟୀ ରାତି ୧୧ଟା ପରେ ରାସ୍ତାରେ ବୁଲୁଥିବାରୁ ପୁଲିସ କର୍ମଚାରୀମାନେ ଏକ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଜରିମାନା ପେଟିଏମ୍ ଆପ୍ ମାଧ୍ୟମରେ ନିଆଯାଇଥିଲା |

ବାସ୍ତବରେ କାର୍ତ୍ତିକ ପତ୍ରୀ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ବେଙ୍ଗାଲୁରୁ ସହରର ପୁଲିସ କମିଶନରଙ୍କ ନିକଟରେ ନିବେଦନ କରିଥିଲେ। କାର୍ତ୍ତିକ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ, “ମୁଁ ରାତିରେ ମୋ ପତ୍ନୀ ଏବଂ ମୋ ସହ ଘଟିଥିବା ଏକ ଯନ୍ତ୍ରଣାଦାୟକ ଘଟଣା କହିବାକୁ ଚାହେଁ। ଏହି ଘଟଣା ରାତି ପ୍ରାୟ ସାଢେ ୧୨ଟା ବେଳେ ଘଟିଥିଲା |ମୁଁ ଏବଂ ମୋ ପତ୍ନୀ ଏକ ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ ଆମ ଘରଠାରୁ କିଛି ମିଟର ଦୂରରେ ପୁଲିସ୍ ପାଟ୍ରୋଲିଂ କରୁଥିଲା | ଆଉ ପୁଲିସ ଭ୍ୟାନ୍ ଆମ ନିକଟରେ ଅଟକି ଯାଇଥିଲା ଏବଂ ଦୁଇଜଣ ପୁଲିସ୍ ୟୁନିଫର୍ମରେ ଥିବା ବ୍ୟକ୍ତି ଆମ ପରିଚୟ ପତ୍ର ଦେଖାଇବାକୁ କହିଥିଲେ। ଆମେ ଆଶ୍ଚର୍ଯ୍ୟ ହୋଇଗଲୁ | ଆମେ ଆଧାର କାର୍ଡ ଦେଖାଇଥିଲୁ | କିନ୍ତୁ ପୁଲିସ କର୍ମୀ କହିଥିଲେ ଯେ ରାତି ୧୧ଟା ପରେ ରାସ୍ତାରେ ବୁଲିବାକୁ ଅନୁମତି ନାହିଁ | ଏହାପରେ ଜରିମାନା ଦେବାକୁ କହିଥିଲେ । ପ୍ରଥମେ ସେମାନେ ତିନି ହଜାର ଟଙ୍କା ମାଗିଥିଲେ ଏବଂ ପରେ ଅନେକ ଅନୁରୋଧ କରିବା ପରେ ଏକ ହଜାର ଟଙ୍କା ନେବାକୁ ରାଜି ହୋଇଥିଲେ ଏବଂ ପେଟିଏମ୍ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ’। ବର୍ତ୍ତମାନ ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ରବିବାର ନିଲମ୍ବିତ କରାଯାଇଛି। ଅଭିଯୋଗ ଟ୍ୱିଟରରେ ଭାଇରାଲ ହେବା ପରେ ପୁଲିସ ବିଭାଗ ମଧ୍ୟ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କହିଛି ଯେ ଏଭଳି ଆଚରଣକୁ ବରଦାସ୍ତ କରାଯିବ ନାହିଁ।

ସମ୍ବନ୍ଧିତ ଖବର