୨ ଟଙ୍କିଆ କଏନ ଜମା କରି ୧ ଲକ୍ଷ ୮୦ ହଜାର ଟଙ୍କାର ବାଇକ କିଣିଲେ ବିଡି ବିକ୍ରେତା

କୋଲକାତା: ବିମୁଦ୍ରାକରଣ ଦିନଠାରୁ ପ୍ରତିଦିନ ଜମା କରୁଥିଲେ ୨ ଟଙ୍କିଆ କଏନ | ଆଉ ଏବେ ସେହି ଜମା ଟଙ୍କାରେ ଦାମୀ ବାଇକ କିଣିଛନ୍ତି ଜଣେ ବିଡି ଦୋକାନୀ | ଆଜି ଆମେ ଆପଣଙ୍କୁ ପଶ୍ଚିମବଙ୍ଗର ବିଡି ବ୍ୟବସାୟୀ ସୁବ୍ରତ ସରକାରଙ୍କ ବାବଦରେ କହିବୁ | ଯିଏ କି ଦୁଇ ଟଙ୍କିଆ ମୁଦ୍ରା ସଂଚୟ କରି ଏବେ ୧ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ଏକ ଦାମୀ ବାଇକ୍ କିଣିଛନ୍ତି । ସରକାର କହିଛନ୍ତି, “ଯେତେବେଳେ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା, ସେତେବେଳେ ବଜାରରେ ନୋଟ ହ୍ରାସ ପାଇଥିଲା। ସେହି ସମୟରେ ଲୋକଙ୍କ ପାଖରେ ଅଧିକ ମୁଦ୍ରା ଥିଲା ଏବଂ ଲୋକମାନେ କେବଳ ମୁଦ୍ରା ନେଣଦେଣ କରୁଥିଲେ | ଏହା ପରେ ମୁଁ ମୁଦ୍ରା ସଂଗ୍ରହ କରିବାକୁ ସ୍ଥିର କଲି |

୪୬ ବର୍ଷୀୟ ସୁବ୍ରତ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଭୀମପୁରର ବାସିନ୍ଦା ହୋଇଥିବାବେଳେ ସେ ଜଣେ ଛୋଟ ବିଡି ବିକ୍ରେତା | ସେ ନିଜେ ବିଡ଼ି ତିଆରି କରି ସ୍ଥାନୀୟ ଦୋକାନରେ ବିକ୍ରି କରନ୍ତି | ସେ କହିଛନ୍ତି ଯେ, ଯେତେବେଳେ ମୁଁ ଦିନେ ବାଇକ୍ ଶୋ’ରୁମ୍ ଦେଇ ଯାଉଥିଲି ସେତେବେଳେ ମୋ ମନକୁ ଆସିଲା ଯେ ଜମା ମୁଦ୍ରାରେ ବାଇକଟିଏ କିଣିବି । ଏହା ପରେ ଘରକୁ ଫେରିବା ପରେ ସେ ନିଜ ୧୭ ବର୍ଷର ପୁଅକୁ ଏହା କହିଥିଲେ। ମୁଦ୍ରା ଗଣିବା ପରେ ସେମାନେ ଶୋ’ରୁମକୁ ଯାଇ ଖୁଚୁରା କଏନ ନେଇ ବାଇକ ଦେଇ ହେବ କି ବୋଲି ପଚାରିଥିଲେ। ଶୋ’ରୁମ କର୍ତ୍ତୃପକ୍ଷ ମଧ୍ୟ କଏନ ନେବାକୁ ରାଜି ହୋଇଥିଲେ |

ଏହା ପରେ ସୁବ୍ରତ ଜମା ରଖିଥିବା ୨ ଟଙ୍କିଆ କଏନ ନେଇ ଶୋ’ରୁମ୍‌କୁ ଯାଇଥିଲେ | ଶୋ’ରୁମ୍ କର୍ମଚାରୀଙ୍କୁ ମୁଦ୍ରା ଗଣିବାକୁ ତିନି ଦିନ ଲାଗିଯାଇଥିଲା | ଶୋ’ରୁମର ମ୍ୟାନେଜର କହିଛନ୍ତି, ସୁବ୍ରତ ସମୁଦାୟ ପାଞ୍ଚଟି ବ୍ୟାଗ ଏବଂ ଦୁଇଟି ଅଖାରେ ମୁଦ୍ରା ଦେଇଥିଲେ | ତେବେ ମୋଟ ଦେଢ଼ ଲକ୍ଷ ଟଙ୍କାର ମୁଦ୍ରା ମିଳିଥିବାବେଳେ ଆଉ ୩୦ ହଜାର ଟଙ୍କାର ନୋଟ ଦେଇଥିଲେ |

ସମ୍ବନ୍ଧିତ ଖବର