ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶା ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହାସଲ କରିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସମେତ ମୋଟ୍ ଚାରିଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଚାରି ପ୍ରକଳ୍ପରେ ୪୬୦୦ କୋଟି ଟଙ୍କା ନିବେଶ ହେବ ଏବଂ ୨୦୩୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସିକ୍ସେମ୍ ପକ୍ଷରୁ ବ୍ରିଟେନ୍ର କ୍ଲାସ୍-ସିକ୍ ଫ୍ୟାବ୍ ଲିମିଟେଡ୍ ସହଯୋଗରେ ଭୁବନେଶ୍ବରର ଇନ୍ଫୋ ଭ୍ୟାଲିରେ ସିଲିକନ୍ କାର୍ବାଇଡ୍ ଆଧାରିତ କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଉତ୍ପାଦନ କରାଯିବ। ଏହା ହେଉଛି ଦେଶର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ୍ ଫ୍ୟାବ୍। ଏହି ପ୍ରକଳ୍ପରେ ବାର୍ଷିକ ୬୦,୦୦୦ ୱାଫର୍ ଓ ୯୬ ନିୟୁତ ୟୁନିଟ୍ର ପ୍ୟାକେଜିଂ କ୍ଷମତା ରହିବ। ସେହି ଉତ୍ପାଦଗୁଡ଼ିକ ଇଲେକ୍ଟ୍ରିକ୍ ଯାନ, ରେଳବାଇ, ଫାଷ୍ଟ୍ ଚାର୍ଜର, ଡାଟା ସେଣ୍ଟର ରୢାକ୍, କଞ୍ଜ୍ୟୁମର୍ ଆପ୍ଲାଏନ୍ସେସ୍ ଓ ସୋଲାର୍ ପାୱାର ଇନ୍ଭର୍ଟର୍ ଆଦିରେ ବ୍ୟବହାର କରାଯିବ। ଅନ୍ୟ ଦୁଇ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ସ୍ଥାପନ କରାଯିବ।
ସେହିପରି, ହେଟେରୋଜେନିଅସ୍ ପକ୍ଷରୁ ଇନ୍ଭୋ ଭ୍ୟାଲିରେ ୩ଡି ଗ୍ଲାସ୍ ସମାଧାନ ଅନ୍ତର୍ଗତ ଅତ୍ୟାଧୁନିକ ପ୍ୟାକେଜିଂ ଓ ଏମ୍ବେଡେଡ୍ ଗ୍ଲାସ୍ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପ ଜରିଆରେ ଓଡ଼ିଶାକୁ ବିଶ୍ବର ଅତ୍ୟାଧୁନିକ ପ୍ୟାକେଜିଂ ପ୍ରଯୁକ୍ତି ଆସିବ। ପ୍ରକଳ୍ପରେ ବର୍ଷକୁ ୬୯,୬୦୦ ଗ୍ଲାସ୍ ପ୍ୟାନେଲ୍ ସବ୍ଷ୍ଟ୍ରେଟ୍, ୫୦ ନିୟୁତ ଆସେମ୍ବଲ୍ଡ ୟୁନିଟ୍ ଓ ୧୩,୨୦୦ ୩ଡିଏଚ୍ଆଇ ମଡ୍ୟୁଲ୍ ଉତ୍ପାଦନ କରିବା କ୍ଷମତା ରହିବ। ଏହି ଉତ୍ପାଦଗୁଡ଼ିକୁ ପ୍ରତିରକ୍ଷା, ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଅଟୋମୋବାଇଲ୍, ଫଟୋନିକ୍ସ ଓ କୋ-ପ୍ୟାକେଜ୍ଡ ଅପ୍ଟିକ୍ ଆଦିରେ ବ୍ୟବହାର କରାଯିବ।
ଓଡ଼ିଶାକୁ ମୋଦୀଙ୍କ ୨୨୫୦ କୋଟିର ଉପହାର: ଧର୍ମେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦ କୋଟି ଟଙ୍କାର ଉପହାର ଦେଇଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ ଭାଗ, ଓଡ଼ିଶା ସରକାର ୨୫ ଭାଗ ଏବଂ ନିବେଶକ ୨୫ ପ୍ରତିଶତ ଆର୍ଥିକ ସହାୟକା ପ୍ରଦାନ କରିବେ। ଭୁବନେଶ୍ୱରରେ ସେମିକଣ୍ଡକର ଉତ୍ପାଦନ ୟୁନିଟ୍ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦୦ କୋଟି ଏବଂ ଓଡ଼ିଶା ସରକାର ପ୍ରାୟ ୩୫୦ ଟଙ୍କା ଦେବେ। ଖୋର୍ଦ୍ଧାରେ ହେବାକୁ ଥିବା ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପାଇଁ କେନ୍ଦ୍ର ସରକାର ପ୍ରାୟ ୮୦୦ କୋଟି ଏବଂ ରାଜ୍ୟ ସରକାର ପ୍ରାୟ ୪୦୦ କୋଟି ଦେବେ। ଅର୍ଥାତ୍ ଡବଲ୍ ଇଞ୍ଜନ ସରକାର ଏଥିପାଇଁ ସର୍ବମୋଟ ୨୨୫୦ କୋଟି ଟଙ୍କା ଦେବେ। ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଜମି, ଜଳ, ବିଜୁଳି ସମେତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବେ।
ସେ କହିଛନ୍ତି ଯେ ଓଡ଼ିଶାରେ କୋଇଲା, ଖଣି, ଲୁହାପଥର, କ୍ରୋମାଇଟ୍ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ପରିଚୟ ପାଇଥିବା ବେଳେ ରେଳ, ସଡ଼କପଥ, ବନ୍ଦର ଭିତ୍ତିଭୂମିରେ ପୁଞ୍ଜି ନିବେଶ ହେଉଥିଲା। ଡବଲ୍ ଇଞ୍ଜିନ୍ ସରକାରର ପ୍ରୟାସ କାରଣରୁ ନ୍ୟୁ ଏଜ୍ ଇକୋନୋମି ବା ନୂଆ ସମୟର ଅର୍ଥନୈତିକ ଦୁନିଆରେ ଓଡ଼ିଶା ଯୋଡ଼ିହୋଇଛି। ନ୍ୟୁ ଏଜ୍ ଟେକ୍ନୋଲୋଜି ଆଧାରରେ ଏଠାରେ ସେମିକଣ୍ଡକ୍ଟରର ଦୁନିଆରେ ବହୁତ ବଡ କ୍ଲଷ୍ଟର୍ ତିଆରି ହୋଇପାରିବ। ଆମେ ଯେଉଁ ଅପେକ୍ଷା ରଖିଥିଲେ, ଓଡ଼ିଶାରେ ନୂଆ ସମୟର ଅର୍ଥନୀତି ବିକଶିତ ହେଉ, ସେ ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ବଡ ପଦକ୍ଷେପ। ଏହା ଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ସହ ଆନୁଷଙ୍ଗିକ ଶିଳ୍ପରେ ଓଡ଼ିଶାର ନୂଆ ପରିଚୟ ହେବ। ଏହି ଦୁଇ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଦ୍ୱାରା ଓଡ଼ିଶାରେ ପାଖାପାଖି ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହା ଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବଡ଼ ଗତି ମିଳିବ ବୋଲି ସେ ମତପ୍ରକାଶ କରିଛନ୍ତି।