ସିଦ୍ଧୁ ମୁସେଓ୍ବାଲାକୁ ଗୁଳିମାରିଥିବା ୨ ସାର୍ପ ସୁଟର ଗିରଫ

ନୂଆଦିଲ୍ଲୀ : ପଂଜାବୀ ଗାୟକ ଶୁଭଦୀପ ସିଂ ଓରଫ ସିଦ୍ଧୁ ମୁସେଓ୍ବାଲା ହତ୍ୟା ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ମୁସେଓ୍ବାଲାଙ୍କୁ ଗୁଳି କରିଥିବା ଦୁଇ ଜଣ ସୁଟରଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ । ଗୁଜୁରାଟର ମୁନ୍ଦ୍ରାରୁ ଏହି ଦୁଇ ସାର୍ପ ସୁଟରଙ୍କୁ ଗିରଫ କରାଯାଇଛି । ଗିରଫ ବେଳେ ସେମାନଙ୍କଠାରୁ ବଡ଼ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୮ଟି ଗ୍ରେନେଡ୍, ୯ଟି ଡିଟୋନେଟର, ୩ଟି ପିସ୍ତଲ ଓ ଗୋଟିଏ ଆସଲ୍ଟ ରାଇଫଲ ଅନ୍ତର୍ଭୁକ୍ତ ବୋଲି ଦିଲ୍ଲୀ ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ।

ଗିରଫ ଦୁଇ ସୁଟରଙ୍କ ମଧ୍ୟରୁ ଜଣକ ନାଁ ପ୍ରିୟବ୍ରତ ଓରଫ ଫୌଜି (୨୬) ଓ ଅନ୍ୟ ଜଣକ ନାଁ କସିସ ଓରଫ କୂଳଦୀପ (୨୪) । ପ୍ରିୟବ୍ରତ ସୋନିପତ, ହରିୟାଣାର ବାସିନ୍ଦା ହୋଇଥିବାବେଳେ ପୂର୍ବରୁ ସେ କୁଖ୍ୟାତ ରାମକରନ ଗ୍ୟାଙ୍ଗର ସାର୍ପସୁଟର ଥିଲା । ହତ୍ୟାକାଣ୍ଡ କରିଥିବା ଗୋଷ୍ଠୀର ସେ ଲିଡର ଥିବା ପୁଲିସ କହିଛି । ସେ ବିଦେଶରେ ଥିବା ଗାଙ୍ଗଷ୍ଟର ଗୋଲଡି ବରାର ସହ ସଂପର୍କ ରଖିଥିଲା ।

ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଆଉ ଜଣେ ସାର୍ପସୁଟର ସନ୍ତୋଷ ଯାଦବକୁ ଗତ ୧୮ ତାରିଖରେ ପୁନେ ପୁଲିସ ଗିରଫ କରିଥିଲା । ତାଠାରୁ ୧୩ଟି ପିସ୍ତଲ ଓ ୭ଟି ମୋବାଇଲ ଫୋନ ଜବତ ହୋଇଥିଲା ।

 

 

ସମ୍ବନ୍ଧିତ ଖବର