ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡ଼ିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ସୁଟର ଏବଂ ଜଣେ ସହଯୋଗୀଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଅପରେସନରେ ଚଣ୍ଡୀଗଡ଼ରୁ ଗିରଫ କରାଯାଇଛି। ଦୁଇ ସୁଟର ରୋହିତ ରାଠୋର ଓ ନୀତିନ ଫୌଜି ଏବଂ ଉଧମ ନାମକ ତୃତୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ତେବେ ଗୋଗାମେଡ଼ି ହତ୍ୟାକାଣ୍ଡରେ ଉଧମର ଭୂମିକାକୁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଦିଲ୍ଲୀ ପୁଲିସ ରୋହିତ ଓ ଉଧମକୁ ଦିଲ୍ଲୀ ଆଣିଥିବା ବେଳେ ନୀତିନ ଫୌଜି ରାଜସ୍ଥାନ ପୁଲିସ ହେପାଜତରେ ଅଛି। ପୂର୍ବରୁ ପୁଲିସ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରାଜସ୍ଥାନରୁ ହରିୟାଣାର ହିସାରରେ ପହଞ୍ଚିଥିଲେ। ଏହାପରେ ସେମାନେ ହିମାଚଳ ପ୍ରଦେଶର ମନାଲି ଯାଇଥିଲେ। ପରେ ସେମାନେ ଚଣ୍ଡୀଗଡ଼ ଫେରି ଆସିଥିଲେ, ଯେଉଁଠାରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମୋବାଇଲ୍ ଫୋନ୍ ଟ୍ରାକିଂ କରି ପୁଲିସ ସେମାନଙ୍କୁ ଠାବ କରିଥିଲା। ନଭେମ୍ବର ୫ ତାରିଖରେ ରାଜସ୍ଥାନର ଜୟପୁରରେ ଗୋଗାମେଡିଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp