ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଗତକାଲି ଏକ ଦଳିତ ପରିବାରର ୨ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଲଖିମପୁର ଖେରିର ନିଗହସନ ଥାନା ଅଧୀନସ୍ଥ ସେମାନଙ୍କ ଘର ନିକଟସ୍ଥ ଆଖୁ କ୍ଷେତରେ ଥିବା ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିଛି। ପ୍ରଥମେ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଜଣାପଡ଼ିଛି ଯେ ସେମାନଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଛି। ଲଖିମପୁର ଖେରି ଏସ୍ପି ସଂଜୀବ ସୁମନ କହିଛନ୍ତି, ୨ ନାବାଳିକାଙ୍କ ମୃତଦେହ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଏହି ମାମଲାରେ ୬ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ୬ ଅଭିଯୁକ୍ତ ହେଉଛନ୍ତି ଛୋଟୁ, ଜୁନେଦ, ସୋହେଲ, ହଫିଜୁଲ, କରିମୁଦ୍ଦିନ ଏବଂ ଆରିଫ୍। ୫ ଅଭିଯୁକ୍ତ ଗତ ରାତିରେ ଗିରଫ ହୋଇଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଜୁନେଦ ଖସି ପଳାଇବାକୁ ଚେଷ୍ଟା କରିବାବେଳ ଆଜି ପୁଲିସ ଏନ୍କାଉଣ୍ଟର କରି ତାକୁ ଧରିଛି।
ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ୨ ଦଳିତ ଝିଅ ହେଉଛନ୍ତି ୨ ଭଉଣୀ। ସେମାନଙ୍କ ବୟସ ୧୫ ଏବଂ ୧୭। ପରିବାର ସଦସ୍ୟଙ୍କ ଦାବି ଅନୁଯାୟୀ ୨ ଭଉଣୀଙ୍କୁ ବୁଧବାର ଅପରାହ୍ନରେ ୩ ଜଣ ଯୁବକ ଆସି ଘରୁ ଅପହରଣ କରିନେଇଥିଲେ। ତେବେ ଜିଲ୍ଲା ପୁଲିସ ମୁଖ୍ୟ ସଂଜୀବ ସୁମନ କହିଛନ୍ତି, ଅଭିଯୁକ୍ତ ଛୋଟୁ ଏହି ନାବାଳିକାଙ୍କ ପଡ଼ୋଶୀ। ଛୋଟୁ ପ୍ରଥମେ ୨ ନାବାଳିକା ଭଉଣୀଙ୍କୁ ଆଖୁ କ୍ଷେତକୁ କିଛି ଲୋଭ ଦେଖାଇ ନେଇଥିଲା। ଏହାପରେ ସୋହେଲ ଏବଂ ଜୁନେଦ୍ ସେମାନଙ୍କୁ ଦୁଷ୍କର୍ମ କରିଥିଲେ। ପୁଲିସ ଅନୁଯାୟୀ, ୨ ଭଉଣୀ ସେମାନଙ୍କୁ ବିବାହ କରିବାପାଇଁ ସୋହେଲ ଏବଂ ଜୁନେଦକୁ ବାଧ୍ୟ କରିବାପରେ ସୋହେଲ, ଜୁନେଦ ଏବଂ ହଫିଜୁଲ୍ ସେମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ସେମାନେ ପରେ କରିମୁଦ୍ଦିନ ଏବଂ ଅରିଫ୍କୁ ଡାକି ପ୍ରମାଣ ନଷ୍ଟ କରିବାପାଇଁ ୨ ନାବାଳିକାଙ୍କୁ ଗଛରେ ଟାଙ୍ଗି ଦେଇଥିଲେ। ଏସ୍ପି କହିଛନ୍ତି ଯେ ଛୋଟୁକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଭିଯୁକ୍ତ ଲାଲ୍ପୁର ଗ୍ରାମର। କେବଳ ଛୋଟୁ ହେଉଛି ୨ ଦଳିତ ଭଉଣୀଙ୍କ ପଡ଼ୋଶୀ। ମୃତ ୨ ଭଉଣୀଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ଗତରାତିରେ ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟ ମାମଲାର ଫାଷ୍ଟ ଟ୍ରାକ୍ ବିଚାରଣ ସହ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ସରକାର ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ସେମାନେ ଶବସଂସ୍କାର କରିନଥିଲେ। ତେବେ ସରକାର ଆଜି ମାମଲାର ଫାଷ୍ଟ ଟ୍ରାକ୍ ବିଚାରଣ ସହ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିବାର ସଦସ୍ୟ ଶବସଂସ୍କାର ପାଇଁ ରାଜି ହୋଇଛନ୍ତି।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଲଖିମପୁର ଘଟଣା ଖୁବ୍ ଦୁର୍ଭାଗ୍ୟଜନକ। ଅପରାଧୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ ଏଭଳି ଦଣ୍ଡ ମିଳିବ ଯାହାକି ସେମାନଙ୍କ ଆତ୍ମାକୁ ଥରାଇ ଦେବ। ଉକ୍ତ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଅଖିଳେଶ ଯାଦବ, ଆପ୍ ନେତା ସଂଜୟ ସିଂହ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଯୋଗୀ ପ୍ରମୁଖ ଯୋଗୀ ସରକାରକୁ ଟାର୍ଗେଟ୍ କରି ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ବୋଲି କହିଛନ୍ତି।