ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ସେନା ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଏଚ୍‌ଏମ୍‌ଟି ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୨ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଏହି ଦୁଇ ଯବାନ ସେନା ପାଟ୍ରୋଲ୍‌ ଟିମ୍‌ର ଅଂଶ ଥିଲେ। ସୁରକ୍ଷା ସକାଶେ ସେନାର ଏହି ପାଟ୍ରୋଲ୍‌ ଦଳକୁ ସଡ଼କରେ ନିୟୋଜିତ କରାଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଛନ୍ତି।

ଗଣମାଧ୍ୟମରେ ନିଜର ମତ ରଖି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,‘ ଅଚାନକ ୩ ଜଣ ଆତଙ୍କବାଦୀ ଆମ ସେନା ଯବାନଙ୍କ ଉପରେ ଗୁଳିଚାଳନା କରିବା ଆରମ୍ଭ କଲେ। ଗୁଳିଚାଳନାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନେ ସହିଦ ହୋଇ ଯାଇଛନ୍ତି। ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ପୂରା ଦଳକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟରେ ଜମ୍ମୁ-କଶ୍ମୀରର ଜାତୀୟ ରାଜପଥ ନଗରୋତା ଅଞ୍ଚଳରେ ଏକ ଟ୍ରକରେ ଲୁଚି ରହିଥିବା ୪ ଜଣ ଜ‌ୈସ-ଇ-ମହମ୍ମଦ ଆତଙ୍କବାଦୀ ସୁରକ୍ଷା ବଳ ଦ୍ବାରା ଏନ୍‌କାଉଣ୍ଟରରେ ନିହତ ହେବା ପରେ ଆତଙ୍କବାଦୀ ପକ୍ଷରୁ ପାଲଟା ଜବାବ ଦେବାକୁ ଏହି ଆକ୍ରମଣ ଯୋଜନା କରାଯାଇଥିବା ଅନୁମାନ କରାଯାଇଛି।  ଜୈସ୍‌ ଆତଙ୍କବାଦୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣ କାଳରେ ୨ ଜଣ ପୁଲିସ୍‌ କର୍ମୀ ଆହତ ହୋଇଥିଲେ। ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଥିଲା ଯେ ଆତଙ୍କବାଦୀମାନେ ଏକ ବଡ଼ ଧରଣ ଆକ୍ରମଣର ଯୋଜନା କରୁଥିଲେ। ତାହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ବଳ ଏନ୍‌କାଉଣ୍ଟର୍‌ କରିଥିଲା। ସୁରକ୍ଷା ବଳର ଏହି ଅପରେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ପ୍ରଶଂସା କରିଥିଲେ।

 

ସମ୍ବନ୍ଧିତ ଖବର