ବେଙ୍ଗାଲୁରୁ : ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଆହୁରି ବଢିଯାଇଛି । କାରଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନା ତାହା ଜିନୋମ ସିକ୍ବେନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ପ୍ରାରମ୍ଭିକ ପରୀକ୍ଷଣରେ ତାହା ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି ।
ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଜିଲ୍ଲାପାଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆଜି ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ । ଏୟାରପୋର୍ଟରେ ସେମାନଙ୍କ ଟେଷ୍ଟିଂ ବେଳେ ଦୁଇଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ପରେ ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପୁଣେ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ତାହା ଓମିକ୍ରନ କି ନା ବୋଲି ଜଣାପଡ଼ିବ । ଉକ୍ତ ଦୁଇଜଣ ଯାତ୍ରୀଙ୍କୁ ଏକାନ୍ତବାସରେ ରଖାଯାଇଛି ।
ଅନ୍ୟପକ୍ଷରେ ମୁମ୍ବାଇ ଏୟାରପୋର୍ଟରେ ବି ବିଦେଶୀ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି । ଏହାଛଡ଼ା ବିଏମସି (ବୃହତ ମୁମ୍ବାଇ କର୍ପୋରେସନ) କେତେକ ନୂଆ କଟକଣା ଲଗାଇବା ବିଷୟରେ ଘୋଷଣା କରିଛି । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସୁଥିବା ଲୋକମାନଙ୍କୁ ଏକାନ୍ତବାସରେ ରଖାଯିବ । ଏହା ସହିତ ସେମାନଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯିବ ।