ନୋଇଡା: ଉତ୍ତର ପ୍ରଦେଶରେ ଦୁଇଟି ପୃଥକ ଘଟଣାରେ ସମାଜବାଦୀ ପାର୍ଟିର ୨ ଜଣ ନେତାଙ୍କୁ ହତ୍ୟା କରାଯାଇଛି। ଜଉନ୍‌ପୁର ଜିଲ୍ଲାର ସିଦ୍ଦିକ୍‌ପୁର ଅଂଚଳରେ ଲାଲ୍‌ଜୀ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯାଦବ ଶାହଗଂଜ- ଜଉନ୍‌ପୁର ରାସ୍ତାରେ କୌଣସି ବ୍ୟକ୍ତି ସହିତ କଥା ହେବା ପାଇଁ ଗାଡ଼ିରୁ ଓହ୍ଲାଇଥିବା ବେଳେ ମୋଟର ସାଇକଲରେ ୩ ଜଣ ଆସି ଅତର୍କିତ ଗୁଳିମାଡ଼ କରିଥିଲେ। ଯାଦବ ଜଣେ ଠିକାଦାର ଏବଂ ତାଙ୍କ ନାମରେ ଆଗରୁ ଅନେକ ଅପରାଧ ମାମଲା ରହିଛି। ବ୍ୟକ୍ତିଗତ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଛି, ଏହା ରାଜନୈତିକ ହତ୍ୟକାଣ୍ଡ ନୁହେଁ ବୋଲି ଏସ୍‌ପି ଆଶିଷ ତିୱାରୀ କହିଛନ୍ତି। ଅନ୍ୟ ଏକ ଘଟଣାରେ, ଗୌତମ ବୁଦ୍ଧ ନଗରରେ ସମାଜବାଦୀ ପାର୍ଟିର ଦାଦ୍ରି ବିଧାନସଭା ନିର୍ବାଚନମଣ୍ଡଳୀର ସଭାପତି ରାମତେକ୍‌ କତାରିଆଙ୍କୁ ହତ୍ୟା କରାଯାଇଛି। ସେ ତାଙ୍କ ଘର ନିକଟରେ ଏକ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ବେଳେ ୪ ଜଣ ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି।