ସୀମାରେ ସେନା ମୁତୟନ ପାଇଁ ଦୁଇଟି ସ୍ବତନ୍ତ୍ର ଆଇସୋଲେଟେଡ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ପ୍ରଶିକ୍ଷଣ ଶେଷ କରିଥିବା ଶତାଧିକ ସୈନିକଙ୍କୁ ସୀମାରେ ମୁତୟନ କରିବା ପାଇଁ ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌ ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଚଳାଚଳ କରିବ। ଏ ନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଞ୍ଜୁର ପ୍ରଦାନ କରିଛି। ଦେଶର ଉତ୍ତର-ପୂର୍ବାଞ୍ଚଳ ସୀମାରେ ସୈନିକମାନଙ୍କୁ ମୁତୟନ କରିବା ଆବଶ୍ୟକ ପଡ଼ିବାରୁ ଏହି ଦୁଇଟି ସ୍ବତନ୍ତ୍ର ଆଇସୋଲେସନ ଟ୍ରେନ୍‌କୁ ନିୟୋଜିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଟ୍ରେନ୍‌ ବେଙ୍ଗାଲୁରୁ-ବେଲଗାମ୍‌-ସିକନ୍ଦରାବାଦ-ଆମ୍ବାଲା-ଜମ୍ମୁ ୧୭ ତାରିଖରେ ଏବଂ ଅନ୍ୟଟି ବାଙ୍ଗାଲୋର-ବେଲଗାମ୍‌-ସିକନ୍ଦରାବାଦ-ଗୋପାଳପୁର-ହାଓଡ଼ା-ଗୁଆହାଟି ୧୮ ତାରିଖରେ ବାହାରିବ ବୋଲି ଜଣାପଡ଼ିଛି। ଯେଉଁ ସୈନିକମାନେ ବାଙ୍ଗାଲୋର, ବେଲଗାମ୍‌, ସିକନ୍ଦରାବାଦ, ଗୋପାଳପୁରରେ ପ୍ରଶିକ୍ଷଣ ଶେଷ କରିସାରିଛନ୍ତି, ସେମାନଙ୍କୁ ସୀମାରେ ମୁତୟନ ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ନିଆଯିବ। ସୈନିକମାନଙ୍କୁ ପ୍ରଥମେ କ୍ବାରାଣ୍ଟିନ୍‌ରେ ରଖାଯିବା ପରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ମିଳିବ। ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ ‌ଯୋଗୁଁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌, ବିମାନ ସେବା ବନ୍ଦ ଥିବାରୁ କେନ୍ଦ୍ର ସରକାର ଏଭଳି ସ୍ବତନ୍ତ୍ର ଆଇସୋଲେଟେଡ୍‌ ଟ୍ରେନ୍‌ର ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ କେବଳ ମାଲବାହୀ ଟ୍ରେନ୍‌ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର