ନୂଆଦିଲ୍ଲୀ: ୫ଟି ରାଜ୍ୟ ପାଇଁ ଗତମାସରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ହେବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି। ଆସନ୍ତାକାଲି ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେବ। ଅନ୍ୟପକ୍ଷରେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ ମଙ୍ଗଳବାର ହେବ। ମୋଟ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି। ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ ସମେତ ଅନ୍ୟ ୪ଟି ଜିଲ୍ଲା ଯଥା ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦନ-ଗଣ୍ଡାଇରେ ନିର୍ବାଚନ ହେବ। ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, କେଶକାଲ, କୋଣ୍ଡାଗାଓଁ, ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର ଏବଂ କୋଣ୍ଟା (ଏସବୁ ଏସଟିମାନଙ୍କ ପାଇଁ ସଂରକ୍ଷିତ ଆସନ)ରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ଏଠାରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।
ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଏବେ କ୍ଷମତାରେ ଅଛନ୍ତି। ଦଳର ନେତା ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ଅଛନ୍ତି। ୨୦୧୮ରେ ଏହି ଦଳ ୪୦ଟି ଆସନ ମଧ୍ୟରୁ ୨୮ଟି ଆସନରେ ଜିତିଥିଲା। ଏଠାରେ ଶାକସ ଏମଏନଏଫ, ବିରୋଧୀ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ୍) ଏବଂ କଂଗ୍ରେସ ସମସ୍ତ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି। ବିଜେପି ଏବଂ ଆପ୍ ଯଥାକ୍ରମେ ୨୩ଟି ଏବଂ ୪ଟି ଆସନରେ ଏଠାରେ ପ୍ରାର୍ଥୀ ଠିଆ କରାଇଛନ୍ତି।