ସାଙ୍ଗ ଭାସିଯାଉଥିବା ଦେଖି ବଞ୍ଚାଇବାକୁ ଗଲେ ଯୁବକ, ଚାଲିଗଲା ଦୁହିଁଙ୍କ ଜୀବନ

ହ୍ୟୁଷ୍ଟନ୍: ସାଙ୍ଗ ଭାସିଯାଉଥିବା ଦେଖି ବଞ୍ଚାଇବାକୁ ଗଲେ ଯୁବକ। ଚାଲିଗଲା ଦୁହିଁଙ୍କ ଜୀବନ। ତେଲେଙ୍ଗାନାରୁ ଆମେରିକାକୁ ପଢ଼ିବାକୁ ଯାଇଥିବା ୨ଜଣ ଯୁବକଙ୍କ ସହ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଲିସର ସୂଚନାନୁସାରେ, ଥାଙ୍କସଗିଭିଙ୍ଗ ପାଇଁ ଛୁଟି ଥିବାରୁ ଦୁଇଜଣ ଭାରତୀୟ ଛାତ୍ର ଆମେରିକାର ମିସୌରୀ ସ୍ଥିତ ଓଜାର୍କ ହ୍ରଦକୁ ଯାଇଥିଲେ। ଏହି ସମୟର ଦୁହିଁଙ୍କ ସହ ଦୁର୍ଘଟଣା ଘଟିଥିଲା।

ମୃତକମାନେ ହେଲେ ୨୪ବର୍ଷୀୟ ଉଥେଜ କୁଣ୍ଟା ଏବଂ ୨୫ବର୍ଷୀୟ ଶିବ କେଲିଗାରୀ । ମିସୋରି ରାଜ୍ୟ ରାଜପଥ ପାଟ୍ରୋଲିଂ  ଟିମ୍  ଦ୍ୱାରା ଦୁହିଁଙ୍କୁ ଚିହ୍ନଟ କରାଯାଇଛି। ଶନିବାର ଏହି ଘଟଣା ଘଟିଥିବା ବେଳେ ମୃତକଙ୍କୁ ନେଇ ଅଧିକ ତଥ୍ୟ ମିଳିପାରିନାହିଁ। ତେଲେଙ୍ଗାନା ମନ୍ତ୍ରୀ କେ ଟି ରାମା ରାଓ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ, ପୀଡ଼ିତଙ୍କ ପରିବାରକୁ ଯଥାଶୀଘ୍ର ମୃତଦେହ ହସ୍ତାନ୍ତର ପାଇଁ ସାହାଯ୍ୟ କରିବାକୁ ସେ ତାଙ୍କ ଟିମକୁ କହିଛନ୍ତି।

ସୂଚନା ମୁତାବକ, ହ୍ରଦରେ ଗାଧୋଇବାକୁ ଯାଇଥିବା କୁଣ୍ଟା ବୁଡ଼ିଯାଇଥିଲେ। କୁଣ୍ଟାଙ୍କୁ ବୁଡ଼ିଯାଉଥିବା ଦେଖି ତାଙ୍କ ବନ୍ଧୁ କେଲିଗାରୀ, କୁଣ୍ଟାଙ୍କୁ ଉଦ୍ଧାର କରିବା ପାଇଁ ହ୍ରଦକୁ ଡେଇଁପଡିଥିଲେ। ହେଲେ ହ୍ରଦ ଭିତରକୁ ଯିବା ପରେ ସେ କୁଣ୍ଟାଙ୍କୁ ଧରି କୂଳକୁ ଆସିବାରେ ବିଫଳ ହୋଇଥିଲେ। ଏହି କାରଣରୁ ପାଣିରେ ବୁଡ଼ି ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ଦୁଇ ଘଣ୍ଟା ପରେ ଶନିବାର ଉଦ୍ଧାରକାରୀ ଦଳ ଦ୍ୱାରା କୁଣ୍ଟାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରବିବାର ଦିନ କେଲିଗାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର