ମୋଦିଙ୍କ କଥା ଶୁଣିଲେନି ଚନ୍ଦ୍ରବାବୁ

ଇସ୍ତଫା ଦେଲେ ଦୁଇ ଟିଡିପି ମନ୍ତ୍ରୀ
ଆନ୍ଧ୍ର ସରକାରରୁ ଓହରିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ମନା କରିଦେବା ପରେ ଏନ୍‌ଡିଏରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ମେଣ୍ଟର ପ୍ରମୁଖ ଅଂଶୀଦାର ତେଲୁଗୁ ଦେଶମ ଏହାର ଦୁଇ ଜଣ ମନ୍ତ୍ରୀଙ୍କୁ ଆଜି ମୋଦି ସରକାରରୁ ପ୍ରତ୍ୟାହାର କରିନେଇଛି। ଏଭଳି ପଦକ୍ଷେପ ନନେବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୋନ କରି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନାଇଡ଼ୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହାପରେ ପରେ ବିଜେପିର ଦୁଇ ଜଣ ମନ୍ତ୍ରୀ ମଧ୍ୟ ଆନ୍ଧ୍ର ସରକାରରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି।

ଲୋକ କଲ୍ୟାଣମାର୍ଗ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଓ୍ଵାଇଏସ୍‌ ଚୌଧୁରୀ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ସରକାରରୁ ମଧ୍ୟ ବିଜେପିର ଦୁଇ ମନ୍ତ୍ରୀ ଡ.କାମିନେନୀ ଶ୍ରୀନିବାସ ରାଓ ଓ ଟି.ମାଣିକ୍ୟଲା ରାଓ ଇସ୍ତଫା ଦେଇଛନ୍ତି। ଏନ୍‌ଡିଏ ସରକାରରୁ ଓହରିବା ପରେ ନାଇଡ଼ୁ କହିଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଏବେ ବି ବିକଳ୍ପ ଖୋଲା ଅଛି ଏବଂ ଟିଡିପି ସରକାରରୁ ଓହରିଥିଲେ ମଧ୍ୟ ଏନ୍‌ଡିଏରୁ ଓହରିନାହିଁ।

ଆନ୍ଧ୍ରପ୍ରଦେଶ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନାଇଡ଼ୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦାବି ପୂରଣ ହୋଇନଥିବାରୁ ଏଭଳି ନିଷ୍ପତ୍ତି ଜରୁରୀ ଥିଲା । ମେଣ୍ଟ ନ ଭାଙ୍ଗି ଆଲୋଚନା ଦ୍ୱାରା ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ନାଇଡୁଙ୍କୁ ବୁଝାଇଥିଲେ। ଉଭୟଙ୍କ ମଧ୍ୟରେ ୧୦ମିନିଟର ଫୋନ୍‌ ବାର୍ତ୍ତାଳାପ ହୋଇଥିଲେ ମଧ୍ୟ କେନ୍ଦ୍ରର ଫର୍ମୁଲାକୁ ନାଇଡ଼ୁ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଜଣାଇ ଦେଇଥିଲେ। ପୂର୍ବରୁ ନାଇଡୁ ପ୍ରଧାନମନ୍ତ୍ରୀଙ୍କ ସହ ଏ ବାବଦ ଆଲୋଚନା କରିବାକୁ ଅନେକ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ଫୋନ୍‌ରେ ଉପଲବ୍‌ଧ ନହେବାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଏ ବାବଦରେ ଟିଡିପି ନେତାମାନେ ଅବଗତ କରାଇଥିଲେ। ତେବେ ଆଜି ଖୋଦ୍‌ ପ୍ରଧାନମନ୍ତ୍ରୀ ଫୋନ୍‌ କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତି ବଦଳାଇ ନଥିଲେ। ସ୍ୱତନ୍ତ୍ର ପାହ୍ୟା ଓ ପ୍ୟାକେଜ୍‌ ସଂପର୍କରେ ଆଲୋଚନା ପାଇଁ ନାଇଡୁଙ୍କୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଆମନ୍ତ୍ରଣ କରିଥିଲେ। ତେବେ ରାଜ୍ୟ ବିଜେପି ନେତାମାନେ ଟିଡିପିର ଜିଦ୍‌ଖୋର ମନୋବୃତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ମାମଲା ବିଗିଡ଼ି ଯାଇଥିଲା।

ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ରାଜ୍ୟର ଆର୍ଥିକ ସ୍ଥିତି ଜଟିଳ ହେବା ସତ୍ତ୍ୱେ କେନ୍ଦ୍ର ସରକାର ଏଥିପ୍ରତି ସହୃଦୟତାର ସହ ବିଚାର କରିନାହାନ୍ତି ବୋଲି ନାଇଡୁ ଅଭିଯୋଗ କରିଛନ୍ତି। ଯଦି କେନ୍ଦ୍ର କ୍ୟାବିନେଟରେ ସହଭାଗୀ ହେବା ସତ୍ତ୍ୱେ ରାଜ୍ୟର ଅସୁବିଧାକୁ କେନ୍ଦ୍ର ସରକାର କର୍ଣ୍ଣପାତ କରିବେ ନାହିଁ, ତେବେ ମେଣ୍ଟର ରହି ଫାଇଦା କ’ଣ ବୋଲି ନାଇଡ଼ୁ ପ୍ରଶ୍ନ କରଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଟିଡିପର ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୌଣସି ରାଜ୍ୟକୁ ନେଇ ପାତରଅନ୍ତର ହୋଇପାରିବ ନାହିଁ ଏବଂ କେନ୍ଦ୍ର ସରକାରରେ ସହଯୋଗୀ ଦଳ ହେବା ସତ୍ତ୍ୱେ ସରକାର ବାସ୍ତବତାକୁ ଧ୍ୟାନ ଦେଇ କାର୍ଯ୍ୟ କରିଛନ୍ତି । ବନ୍ଧୁତା ଆଧାରରେ ନିଷ୍ପତ୍ତି ହୋଇପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲି କହିଛନ୍ତି। ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦିଆ ନଗଲେ ମଧ୍ୟ ସ୍ୱତନ୍ତ୍ର ପାହ୍ୟାରେ ଯେଭଳି ଆର୍ଥିକ ସହାୟତା ମିଳିଥାନ୍ତା ସେହି ପରିମାଣର ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଦାନ କରିବାକୁ କେନ୍ଦ୍ର ସରକାର ତୟାର ବୋଲି ଜେଟ୍‌ଲି କହିଛନ୍ତି।

ସମ୍ବନ୍ଧିତ ଖବର