ରାଜୌରୀ/ଜମ୍ମୁ : ଜମ୍ମୁ କାଶ୍ମୀରର ରାଜୌରୀରେ ୧୪ ଘଣ୍ଟା ମଧ୍ୟରେ ୨ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ଯୋଗୁଁ ୨ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରୁ ଆତଙ୍କବାଦୀମାନେ ଡାଙ୍ଗ୍ରି ଗ୍ରାମରେ ୩ଟି ଘରକୁ ଟାର୍ଗେଟ୍‌ କରି ଗୁଳିମାଡ଼ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ରବିବାର ସନ୍ଧ୍ୟାରେ ୪ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷେ ଡାଙ୍ଗ୍ରି ଗ୍ରାମରେ ଆଜି ସକାଳେ ବିସ୍ଫୋରଣ ହୋଇ ସାନଭି ଶର୍ମା (୭) ଏବଂ ବିହାନ କୁମାର ଶର୍ମା (୪)ଙ୍କର ମୃତ୍ୟୁ ହୋଇଛି।

Advertisment

ରବିବାର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତି ପ୍ରୀତମ ଲାଲ୍‌ଙ୍କ ଘର ନିକଟରେ ଆଜି ସକାଳ ପ୍ରାୟ ୯.୩୦ ସମୟରେ ବିସ୍ଫୋରଣ ହୋଇଛି। ଉକ୍ତ ଘଟଣାକୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ଇତି ମଧ୍ୟରେ କାଶ୍ମୀର ଡିଜି ଦିଲବାଗ ସିଂହ କହିଛନ୍ତି, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ୍‌ କରି ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ଆନ୍ଦୋଳନକାରୀମାନେ ମୃତକଙ୍କ ଶବ ସତ୍କାର କରୁନଥିବାରୁ ଡିଜିପି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ରାଜୌରୀରେ ଆଜି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ହୋଇଛି।

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ମୃତକଙ୍କ ପରିବାର ସଦସ୍ୟଙ୍କୁ ଉପରାଜ୍ୟପାଳ ଭେଟିଛନ୍ତି ଏବଂ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ସହ ସରକାରୀ ଚାକିରି ପ୍ରତିଶ୍ରୁତି ଦେଇଛନ୍ତି। ଇତି ମଧ୍ୟରେ ଏନ୍‌ଆଇଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣରେ ଆହତ କାନାୟା ଶର୍ମା (୧୪), ଭାନସୁ ଶର୍ମା (୧୫), ସମୀକ୍ଷା ଦେବୀ (୨୦), ଶାରଦା ଦେବୀ (୩୮), କମଲେଶ ଦେବୀ (୫୫) ଏବଂ ସମୀକ୍ଷା ଶର୍ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକାରୀମାନେ ଆଜି ମରଶରୀର ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଉପରାଜ୍ୟପାଳ ସେମାନଙ୍କୁ ଭେଟିବାପାଇଁ ଦାବି କରିଥିଲେ। ଯଦି ଉପରାଜ୍ୟପାଳ ନପହଞ୍ଚନ୍ତି ତେବେ ସେମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନଆସିବା ପର୍ଯ୍ୟନ୍ତ ଶବ ସତ୍କାର କରିବେନି ବୋଲି କହିଥିଲେ।