ପୁଲଓ୍ଵାମା : ୨ ସଂଦିଗ୍ଧ ଆତଙ୍କବାଦୀଙ୍କୁ ଘେରିଲା ସେନା, ଗୁଳିବିନିମୟ ଜାରି

ଶ୍ରୀନଗର : କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ଚାଲିଥିବା ଖବର ହସ୍ତଗତ ହୋଇଛି । ରାଜପୁରାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚିଥିବା ସେନା ଓ ପୁଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରିଯାଇଥିଲେ । ଦୁଇଜଣ ଆତଙ୍କବାଦୀ ଏବେ ବି ଲୁଚିରହିଛନ୍ତି ବୋଲି ଜଣାପଡିଛି । ଅନ୍ୟପକ୍ଷରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ଜାରି ରହିଛି । ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଜି ପୁଞ୍ଚ ସେକ୍ଟରର ବାଲାକୋଟ ଓ ମେଣ୍ଢର ସେକ୍ଟରରେ ସାଧାରଣ ଲୋକରହୁଥିବା ଅଞ୍ଚଳକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରାଯାଇଛି । ଏହି ଗୁଳିଗୋଳା ବର୍ଷଣରେ ୨ଜଣ ସାଧାରଣ ଲୋକ ଆହତ ହୋଇଥିବା ଖବର ମିଳିଛି ।

ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପାକିସ୍ତାନ ଭାରତୀୟ ସେନାକୁ ବ୍ୟସ୍ତ ରଖୁଥିବାବେଳେ ସେପଟେ ଅନୁପ୍ରବେଶ କରାଉଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ କଡ଼ା ଜବାବ ଦେଉଛି ।

ସମ୍ବନ୍ଧିତ ଖବର