୨ ରାଜ୍ୟ କାମ କରୁଛନ୍ତି, ଗପୁଛି କେନ୍ଦ୍ର: ମମତା

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ଶ୍ରୀମତୀ ବାନାର୍ଜୀ ଆଜି ଏକ ପ୍ରେସ୍ ବିବୃତି‌ ଜରିଆରେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି ପ୍ରକୃତ ମୃତ୍ୟୁସଂଖ୍ୟା, ଗୋଧ୍ରା କାଣ୍ଡ ଓ ରେଳବାଇର ପରିଚାଳନାକୁ ନେଇ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ସରକାର କିଭଳି ଆକ୍ସନ୍ ମୋଡ୍‌କୁ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ତାହା ସଂପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର କେବଳ ଅଧିକ କଥା କହୁଛନ୍ତି ବୋଲି ତାଚ୍ଛଲ୍ୟ କରିଛନ୍ତି।

ମମତ‌ା କହିଛନ୍ତି ଯେ ଦୁର୍ଘଟଣା ଖବର ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ମାନସ ଭୁନିଆ, ସାଂସଦ ଦୋଳ ସେନ ଓ ଜୟନ୍ତ ସାହୁଙ୍କ ସହ ଏକ ଟିମ୍ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ୧୫୦ ଆମ୍ବୁଲାନ୍‌ସ, ଡାକ୍ତର, ନର୍ସ, ବସ୍‌, ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ପଠାଯାଇଥିଲା। ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ପଶ୍ଚିମବଙ୍ଗ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କେବଳ ପଶ୍ଚିମବଙ୍ଗର ୬୨ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କୋଲକାତା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ୨୦୬ ଆହତ ଭର୍ତି ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ପଶ୍ଚିମବଙ୍ଗର ୭୩ଜଣଙ୍କ ଚିକିତ୍ସା ଚାଲିଛି। ୫୬ଜଣଙ୍କୁ ଓଡ଼ିଶାରେ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଏକାଧିକ ଆଇଏଏସ୍‌ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ ନିଜେ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଲାଗି ଏକ ଯୋଜନା ଆରମ୍ଭ ହୋଇଥିଲା। ସିଗନାଲ ବ୍ୟବସ୍ଥାକୁ ଅପଗ୍ରେଡ୍‌ କରିବା ସହିତ ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାଡ଼ଗାଁ ଓ କୋଙ୍କଣ ରେଳବାଇ ଅଧିକାରୀଙ୍କୁ ଭେଟି ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା(ଏସିଡି) କୁ ଅଧିକ ତ୍ବରାନ୍ବିତ କରିବା ଲାଗି ଉଦ୍ୟମ କରିଥିଲି।

ଗତକାଲି ଓଡ଼ିଶା ଗସ୍ତକୁ ନେଇ ମମତା କହିଛନ୍ତି ଯେ ରେଳ ମନ୍ତ୍ରୀ ଓ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାପିଚୁପ ବୟାନ ଦେଇଥିଲି। ମାତ୍ର କିଛି ଗଣମାଧ୍ୟମ ଏହାକୁ କଦର୍ଥ କରୁଛନ୍ତି। ରେଳବାଇରେ ବିଗତ ୭-୮ବର୍ଷର ଅଭିଜ୍ଞତାକୁ ନେଇ ବହୁତ କିଛି କହିପାରିଥାନ୍ତି। ରେଳ ବିଭାଗ କିଭଳି କାର୍ଯ୍ୟକରେ ତାହା ମୁଁ ଜାଣିଛି। ମାତ୍ର ଏଭଳି ମନ୍ତବ୍ୟ ଦେବା ଲାଗି ବିଜେପି ମତେ ବାଧ୍ୟ କରିଛି। ଲାଲୁ ଯାଦବ, ନୀତୀଶ କୁମାର ଓ ମୋ କାର୍ଯ୍ୟକାଳକୁ ନେଇ କେତେକ ମିଥ୍ୟା ବାର୍ତା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ବିଜେପି କିମ୍ବା କେନ୍ଦ୍ର ସରକାର ଏଭଳି ମିଥ୍ୟା ବାର୍ତାର ପ୍ରଚାର କରିପାରିଥାନ୍ତି। ମାତ୍ର ରାଜନେତାମାନଙ୍କ ଲଜ୍ଜା ବୋଲି କିଛିନାହିଁ। ରେଳ ମନ୍ତ୍ରୀ ଥିବା ବେ‌ଳେ ଯେଉଁସବୁ ପଦକ୍ଷେପ ନେଇଥିଲି ତାହାର ପରିଣାମସ୍ବରୂପ ଏବେ ବହୁତ କମ୍ ଦୁର୍ଘଟଣା ହେଉଛି।

ମାତ୍ର କେନ୍ଦ୍ର ସରକାର ବାଲେଶ୍ବର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ନିକଟ ଅତୀତରେ ଏହା ହେଉଛି ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୦ ପ୍ରତିଶତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପାଇଁ ଭୁଲ୍‌ ମଧ୍ୟ ମାଗିବାକୁ ପ୍ରସ୍ତୁତ ନୁହନ୍ତି। କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହୋଇଥିବା ଏକ ଟ୍ରେନ୍‌କୁ ୧୦ ମିନିଟ୍‌ ବ୍ୟବଧାନରେ ଅନ୍ୟ ଏକ ଟ୍ରେନ୍‌ ଧକ୍କା ଦେଲା ? ଏକ ବିପର୍ଯ୍ୟୟ ସମୟରେ ସମ‌ସ୍ତେ ମିଳିମିଶି କାର୍ଯ୍ୟ କରିବା କଥା। ମାତ୍ର କେନ୍ଦ୍ର ସରକାର ନିଜ ଦାୟିତ୍ବରୁ ହାତ ଖସେଇଦେବା ସହିତ ନିଜ ତ୍ରୁଟି ବଦଳରେ ଅନ୍ୟ ତ୍ରୁଟି ଦେଖାଇବାରେ ବ୍ୟସ୍ତ। ପୂର୍ବ ରେଳ ମନ୍ତ୍ରୀଙ୍କୁ ବଦନାମ କରାଯାଉଛି। ବ୍ୟକ୍ତିଗତ ଭାବେ ମୁଁ ରେଳ ମନ୍ତ୍ରୀ ଇସ୍ତଫା ଚାହୁଁନାର୍ହି। ଆଗାମୀ ଦିନରେ ଲୋକମାନେ ଓ ତାଙ୍କ ସରକାରକୁ ଭୋଟ୍‌ ଜରିଆରେ ବିଦା କରିବେ। ଜାତୀୟ ବଜେଟ୍‌ରେ ରେଳ ବଜେଟ ମିଶିବା ଦିନଠାରୁ ରେଳବାଇ ନିଜର ସତ୍ତା ହରାଇଛି ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର