ରାୟପୁର: ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ମଦ ଦୁର୍ନୀତି ମାମଲାରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ତଥା ରାୟପୁର ମେୟର ଆଇଜାଦ ଧେବର ଏବଂ ତାଙ୍କ ଭାଇ ଅନୱର ଧେବରଙ୍କୁ ଗତକାଲି ଗିରଫ କରିବା ପରେ ଆଜି ଦୁର୍ନୀତିର ଆକାର ସଂପର୍କରେ ସୂଚନା ଦେଇଛି। ୨୦୦୦ କୋଟି ଟଙ୍କାର ଦୁର୍ନୀତି ଏବଂ ମନି ଲଣ୍ଡରିଂର ପ୍ରମାଣ ଇଡି ହାତରେ ବର୍ତ୍ତମାନ ସୁଦ୍ଧା ଲାଗିଛି। ରାଜ୍ୟର ବଡ଼ ବଡ଼ ରାଜନେତା ଏବଂ ଅମଲାଙ୍କ ସହଯୋଗରେ ଏହି ଦୁର୍ନୀତି ହୋଇଛି। ଅନୱରଙ୍କୁ ଗତକାଲି ରାୟପୁରର ଏକ ହୋଟେଲରୁ ଇଡି ଗିରଫ କରିଛି। ଗିରଫ ସମୟରେ ସେ ହୋଟେଲ ପଛ ଗେଟ ଦେଇ ଖସି ପଳାଉଥିବା ସମୟରେ ଇଡିର ଅଧିକାରୀମାନେ ତାଙ୍କୁ ଧରିଥିଲେ।
୨୦୧୯ରୁ ୨୦୨୨ ମଧ୍ୟରେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ସଂପର୍କରେ ସେମାନେ ପ୍ରମାଣ ସଂଗ୍ରହ କରିଛନ୍ତି ବୋଲି ଇଡି ରବିବାର ଦିନ କହିଛି। ରାଜନୈତିକ ବ୍ୟକ୍ତିବିଶେଷ ଏବଂ ବରିଷ୍ଠ ଅମଲାମାନଙ୍କୁ ଅନୱର ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରୁଥିଲେ। ସେ ବେଆଇନ ଭାବେ ଏକ ବିଶାଳ ଷଡ଼୍ଯନ୍ତ୍ରର ଜାଲ ବିଛାଇବା ସହିତ ବିଭିନ୍ନ ଲୋକ ଏବଂ ସଂସ୍ଥା ଜରିଆରେ ରାଜ୍ୟରେ ବିକ୍ରି ହେଉଥିବା ପ୍ରତ୍ୟେକ ବୋତଲ ମଦରୁ ଅର୍ଥ ସଂଗ୍ରହ କରୁଥିଲେ। ଉକ୍ତ ଦୁର୍ନୀତି ମାମଲାରେ ଇଡି ଗତ ମାର୍ଚ୍ଚରେ ଚଢ଼ଉ କରିଥିଲା। ୨୦୨୨ ମେ’ ମାସରେ ଆୟକର ବିଭାଗ ଦାଖଲ କରିଥିବା ଅଭିଯୋଗଫର୍ଦ୍ଦ ଆଧାରରେ ଇଡି ପିଏମଏଲଏ ଅଧୀନରେ ଉକ୍ତ ଦୁର୍ନୀତିର ତଦନ୍ତ କରୁଛି। ଗତକାଲି ଇଡି ଅଦାଲତରେ ଦାଖଲ କରିଥିବା ରିମାଣ୍ଡ ଆବଦେନରେ ଉଲ୍ଲେଖ କରିଛି ଯେ ଅନୱର ଏହି ଦୁର୍ନୀତି ମାମଲାର ମୁଖ୍ୟ କଲେକ୍ସନ ଏଜେଣ୍ଟ ଥିଲେ। ଏଥିସହିତ ରାଜ୍ୟ ଅବକାରୀ ବିଭାଗର ପ୍ରଶାସନକୁ ସେ ସଂପୂର୍ଣ୍ଣ ଭାବେ ହାଇଜାକ୍ କରି ନେଇଥିଲେ।
ଛତିଶଗଡ଼ରେ ମଦ ବ୍ୟବସାୟକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପରିଚାଳନା କରୁଛନ୍ତି। କ୍ରୟଠାରୁ ଆରମ୍ଭ କରି ଖୁଚୁରା ଆକାରରେ ବିକ୍ରି ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥାନ୍ତି। ଏଥିରେ କୌଣସି ଘରୋଇ ସଂସ୍ଥାକୁ ଅନୁମତି ମିଳି ନଥାଏ। ରାଜ୍ୟରେ ୮୦୦ ମଦ ଦୋକାନ ରହିଛି। ରାଜ୍ୟରେ ବିକ୍ରି ହେଉଥିବା ସମସ୍ତ ମଦକୁ ଛତିଶଗଡ଼ ରାଜ୍ୟ ବିପଣନ ନିଗମ ଲିମିଟେଡ ଦ୍ବାରା କିଣାଯାଇଥାଏ। ତେଣୁ ଅନୱାରଙ୍କ କଥା ମାନୁଥିବା ଭଳି ଅଧିକାରୀଙ୍କୁ ରାଜ୍ୟ ବିପଣନ ନିଗମରେ ନିଯୁକ୍ତି ଦିଆଯାଉଥିଲା। ଏଥିରେ ରାଜନେତାମାନେ ଅନୱରଙ୍କୁ ସହଯୋଗ କରୁଥିଲେ।