ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଛନ୍ତି ୨ ହଜାରରୁ ଅଧିକ ଲୋକ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୦୦୦ ରୁ ଅଧିକ ଲୋକ ନକଲି ଟିକାକରଣ କେନ୍ଦ୍ରର ଶିକାର ହୋଇଛନ୍ତି। ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି | ରାଜ୍ୟ ସରକାରଙ୍କ ପରାମର୍ଶଦାତା ତଥା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଦୀପକ ଠାକରେ କୋର୍ଟଙ୍କୁ କହିଛନ୍ତି ଯେ ସହରରେ ଏପର୍ଯ୍ୟନ୍ତ ନଅଟି ନକଲି କରୋନା ଟିକାକରଣ ଶିବିର କରାଯାଇଥିଲା । ହାଇକୋର୍ଟ ଆସନ୍ତା ଜୁନ୍ ୨୯ ରେ ଏହାର ଶୁଣାଣି କରିବେ। ଦୀପକ ଠାକରେ କହିଛନ୍ତି ଯେ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ଚାରୋଟି ପୃଥକ ଏଫ୍ଆଇଆର୍ ପଞ୍ଜୀକୃତ କରିଛି ଏବଂ ତଦନ୍ତ କରୁଛି।

ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କ ଖଣ୍ଡପୀଠରେ ରାଜ୍ୟ ସରକାର ଏହି ମାମଲାର ଯାଞ୍ଚ ଉପରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପରାମର୍ଶଦାତା ତଥା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଦୀପକ ଠାକରେ କୋର୍ଟଙ୍କୁ କହିଛନ୍ତି ଯେ ପୁଲିସ ଏପର୍ଯ୍ୟନ୍ତ ୪୦୦ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିବାବେଳେ ଅଭିଯୁକ୍ତ ଡାକ୍ତରଙ୍କ ଅନୁସନ୍ଧାନ ଜାରି ରହିଛି।

ସେହିପରି ବିଏମସିର ବରିଷ୍ଠ ଓକିଲ ଅନିଲ ସାଖରେ କୋର୍ଟଙ୍କୁ କହିଛନ୍ତି ଯେ ଯେଉଁ ଦିନ ଲୋକମାନେ ନକଲି କରୋନା ଟିକା ନେଇଥିଲେ ସେହି ଦିନ ସେମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦିଆଯାଇନଥିଲା | ପରେ ତିନୋଟି ଭିନ୍ନ ଡାକ୍ତରଖାନା ନାମରେ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ସେତେବେଳେ ହିଁ ଲୋକମାନେ ଅନୁଭବ କଲେ ଯେ କିଛି ଭୁଲ ଅଛି | ଆଉ ଏହା ପରେ ହିଁ ଆମେ ଏହି ବିଷୟରେ ଜାଣିବାକୁ ପାଇଲୁ |

ସମ୍ବନ୍ଧିତ ଖବର