ଏହି ପ୍ରକ୍ରିୟାରେ ଏବେ ବି ଆପଣ ବଦଳାଇପାରିବେ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଏବେ ବି ୨ ହଜାର ଟଙ୍କିଆ ନୋଟ ଅଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ | କାରଣ ଏବେ ବି ଚାହିଁଲେ ଆପଣ ଏହାକୁ ବଦଳାଇଦେଇପାରିବେ | ଆପଣ ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇ ସେହି ନୋଟଗୁଡିକ ବିନିମୟ କରିପାରିବେ | କିନ୍ତୁ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ବୈଧ ପ୍ରମାଣ ମଧ୍ୟ ଦେଖାଇବାକୁ ପଡିବ | ୨୦୧୬ ମସିହାରେ ଭାରତରେ ବିମୁଦ୍ରୀକରଣ ହୋଇଥିଲା | ଯେଉଁଥିରେ ୫୦୦ ଏବଂ ୧୦୦୦ ଟଙ୍କାର ନୋଟକୁ ବନ୍ଦ କରିଦିଆଯାଇଥିଲା | ବିମୁଦ୍ରୀକରଣ ପରେ ୨୦୦୦ ଏବଂ ୫୦୦ ଟଙ୍କାର ନୂଆ ନୋଟ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଜାରି କରାଯାଇଥିଲା। କିନ୍ତୁ ମେ ୨୦୨୩ ରେ ସୂଚନା ପ୍ରଦାନ କରି ସରକାର ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରଣ ବନ୍ଦ କରିଦେଇଥିଲେ। ଅକ୍ଟୋବର ୨୦୨୩ରେ ସମସ୍ତ ବ୍ୟାଙ୍କରେ ନୋଟ୍ ବିନିମୟ ପାଇଁ ଶେଷ ମାସ ଥିଲା | ତେବେ ଅନେକ ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କା ମୂଲ୍ୟର ଅନେକ ନୋଟ୍ ଅଛି |

ଦୋକାନୀମାନେ ମଧ୍ୟ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରିବାକୁ ମନା କରୁଛନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଲୋକମାନେ କଣ କରିବେ ସେଥିପାଇଁ ଚିନ୍ତିତ ଅଛନ୍ତି | ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଏବେ ବି ଆରବିଆଇ ମାଧ୍ୟମରେ ଆପଣଙ୍କର ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିପାରିବେ | ଭାରତର ମୋଟ ୧୯ଟି ସହରରେ ଆରବିଆଇ କେନ୍ଦ୍ର ଅଛି ଯେଉଁଠାରେ ଆପଣ ଆପଣଙ୍କର ନୋଟ୍ ବିନିମୟ କରିପାରିବେ | ଏହା ସହିତ, ଆପଣ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ଆରବିଆଇର ଆଞ୍ଚଳିକ ଅଧିକାରୀଙ୍କ ନିକଟକୁ ମଧ୍ୟ ଆପଣଙ୍କର ନୋଟ୍ ପଠାଇ ପାରିବେ | ଏଥିପାଇଁ ଆପଣଙ୍କୁ ଏକ ଦେୟ ଦେବାକୁ ପଡିବ | ସୂଚନା ଥାଉ କି ଯେ ଏଥିପାଇଁ ଆପଣଙ୍କୁ ନୋଟ୍ ସହିତ ବୈଧ ପରିଚୟ ପ୍ରମାଣ ଦେଖାଇବାକୁ ପଡିବ |

ସମ୍ବନ୍ଧିତ ଖବର