ଚୀନ୍‌ରୁ ଫେରିଥିବା ୨ ଭାରତୀୟଙ୍କ ଠାରେ ଠାବ ହେଲା ମାରାତ୍ମକ କରୋନା ଭୂତାଣୁର ଲକ୍ଷଣ; ମୁମ୍ବାଇରେ ହଇଚଇ

ମୁମ୍ବାଇ/ ନୂଆଦିଲ୍ଲୀ: ଚୀନ୍‌ରୁ ଆସି ଆଜି ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇଜଣ ଭାରତୀୟଙ୍କ ଶରୀରରେ କରୋନା ଭୂତାଣୁର ସଙ୍କେତ ଠାବ କରାଯିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ମୁମ୍ବାଇ ବିମାନ ବନ୍ଦରରେ ଏହି ଦୁଇ ଯାତ୍ରୀଙ୍କର ଥର୍ମୋ ସ୍କାନିଂ କରାଯିବା ପରେ ଏମାନଙ୍କ ଶରୀରରେ କରୋନା ଭାଇରସ୍‌ର ଲକ୍ଷଣ ଠାବ କରା ଯାଇଥିଲା। ଏହି ଘଟଣା ମୁମ୍ବାଇ ବିମାନ ବନ୍ଦରରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବାବେଳେ ଏହି ଦୁଇ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ସାହାଯ୍ୟରେ ମୁମ୍ବାଇର କସ୍ତୁରବା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଏବେ ସେମାନଙ୍କୁ ଏକ ନିକାଞ୍ଚନ (ଆଇସୋଲେସନ୍‌) ଓ୍ଵାର୍ଡରେ ସେମାନଙ୍କୁ ରଖାଯିବା ସହ ସେମାନଙ୍କ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାଭାଇରସ୍‌କୁ ଚୀନ୍‌ର ‘ଜରୁରୀ ପରିସ୍ଥିତି’ ବୋଲି ଘୋଷଣା କରିଛି। ଅଦ୍ୟାବଧି ଏହି ନୂତନ ଭୂତାଣୁରେ ଆକ୍ରାନ୍ତ ହୋଇ ୨୬ ଜଣ ବ୍ୟକ୍ତିଙ୍କର ଜୀବନହାନି ଘଟିିବା ସହ ୮୩୦ ଲୋକ ଆକ୍ରାନ୍ତ ହୋଇଥିବା ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ୍‌ କହିଛି। କେନ୍ଦ୍ରୀୟ ଚୀନ୍‌ର ଉହାନ୍‌ ସହରରେ ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଗତବର୍ଷ ଶେଷ ଆଡ଼କୁ ସେଠାରେ ହିଁ ଏହି ଭୂତାଣୁ ସୃଷ୍ଟି ହୋଇଥିବା କଥା ବିଶ୍ୱାସ କରାଯାଉଛି। ସେଥିପାଇଁ ଏହାକୁ ଉହାନ୍‌ ଭୂତାଣୁ ବୋଲି ମଧ୍ୟ କୁହାଯାଉଛି।

Statesman

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଅନ୍ୟୂନ ୭ଟି ଦେଶରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଭାରତରେ ଦୁଇଜଣଙ୍କ ଶରୀରରେ ଏହି ଭୂତାଣୁର ଲକ୍ଷଣ ଚିହ୍ନଟ ହେବା ଘଟଣା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର