ଗ୍ବାଲିଅର : ଜଣେ ପୁରୁଷ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ସମେତ ଦୁଇ ଜଣ ମହିଳା ସପ୍ତାହରେ ତିନି ଦିନ ଲେଖାଁଏ ଭାଗଭାଗ କରି ଦୁଇଟି ପୃଥକ ଘରେ ଶାନ୍ତିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସପ୍ତାହର ସପ୍ତମ ତଥା ଅନ୍ତିମ ଦିନଟିକୁ ପୁରୁଷଙ୍କୁ ତାଙ୍କ ପସନ୍ଦର ମହିଳାଙ୍କ ସହ ବିତାଇବାର ସ୍ୱାଧୀନତା ଦେଇଛନ୍ତି ଏବଂ ଏ ସଂପର୍କରେ ସମସ୍ତ ପକ୍ଷଙ୍କୁ ନେଇ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଗ୍ବାଲିଅର ସହରର ପାରିବାରିକ ଅଦାଲତ ସହ ଜଡ଼ିତ ଜଣେ ଓକିଲ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କାଉନସେଲର ତଥା ଆଇନଜୀବୀ ହରିଶ ଦିଓ୍ଵାନ ହିନ୍ଦୁ ଆଇନ ଅନୁଯାୟୀ ସେମାନଙ୍କ ମଧ୍ୟରେ ହୋଇଥିବା ଏହି ‘ଚୁକ୍ତି’କୁ ବେଆଇନ ବୋଲି ମଧ୍ୟ କହିଛନ୍ତି।
ହରିଶ ଦିଓ୍ଵାନ କହିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମୟରେ ନିଜ ପତ୍ନୀଙ୍କୁ ଗ୍ବାଲିଅରରେ ଛାଡି ଗୁରୁଗ୍ରାମର ଜଣେ ମହିଳା ସହକର୍ମୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଇଞ୍ଜିନିୟର ଥିବା ଏହି ପୁରୁଷଙ୍କ କାହାଣୀ ସାମ୍ନାକୁ ଆସିଥିଲା। ତାଙ୍କର ପ୍ରଥମ ବିବାହ ୨୦୧୮ରେ ଗ୍ବାଲିଅରର ଜଣେ ମହିଳାଙ୍କ ସହ ହୋଇଥିଲା ଏବଂ ସେମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଏକାଠି ରହୁଥିଲେ। ତେବେ, କୋଭିଡ୍ ସମୟରେ ସେ ପତ୍ନୀଙ୍କୁ ବାପଘରକୁ ପଠାଇ ଦେଇ ଗୁରୁଗ୍ରାମ ଚାଲି ଆସିଥିଲେ।
୨୦୨୦ ପର୍ଯ୍ୟନ୍ତ ସେ ତାଙ୍କ ବିବାହିତ ପତ୍ନୀଙ୍କୁ ନେବାପାଇଁ ନ ଆସିିବାରୁ ତାଙ୍କ ପତ୍ନୀ ତାଙ୍କୁ ଖୋଜି ଗୁରୁଗ୍ରାମ କାର୍ଯ୍ୟାଳୟକୁ ଯାଇଥିଲେ। ହରିଶ ଦିଓ୍ଵାନ କହିଛନ୍ତି ଯେ ସେ ଜାଣିବାକୁ ପାଇଲେ ଯେ ସେ ଜଣେ ସହକର୍ମୀଙ୍କୁ ବିବାହ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେମାନଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଛି।
ଦ୍ୱିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ଜଣକ ସ୍ବାମୀ ସହ ସର୍ବସମ୍ମୁଖରେ ଝଗଡ଼ା କରିବା ସହ ଅଫିସରେ ପ୍ରତିବାଦ କରିଥିଲେ। ଏହାପରେ ସେ ନ୍ୟାୟ ପାଇଁ ଗ୍ବାଲିଅରର ଏକ ପାରିବାରିକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରେ ତାଙ୍କ ସ୍ୱାମୀଙ୍କୁ ଗ୍ବାଲିଅରକୁ ଡକାଯାଇଥିଲା। ତାଙ୍କୁ କାଉନସେଲିଂ କରିବାକୁ ଚେଷ୍ଟା କରିବା ସତ୍ତ୍ୱେ ବ୍ୟକ୍ତି ଜଣକ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ିବାକୁ ମନା କରିଦେଇଥିଲେ ବୋଲି ହରିଶ ଦିଓ୍ଵାନ କହିଛନ୍ତି।
ଅନ୍ୟପକ୍ଷରେ ପ୍ରଥମ ପତ୍ନୀ ଓ ଦ୍ବିତୀୟ ବିବାହ କରିଥିବା ମହିଳାଙ୍କୁ କାଉନସେଲିଂ କରାଯାଇଥିଲେ ମଧ୍ୟ ସେମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ। ଏହାପରେ ତିନି ଜଣଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହା ଅନୁଯାୟୀ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ସହ ସପ୍ତାହର ତିନି ଦିନ ଏବଂ ଅନ୍ୟ ତିନି ଦିନ ସେ ବିବାହ କରିଥିବା ଅନ୍ୟ ମହିଳାଙ୍କ ସହ ବିତାଇବେ ଏବଂ ରବିବାର ଦିନ ତାଙ୍କ ପସନ୍ଦର ମହିଳାଙ୍କ ସହ ରହିବାର ସ୍ୱାଧୀନତା ପାଇବେ ବୋଲି ଦିଓ୍ଵାନ କହିଛନ୍ତି।
ସେ ତାଙ୍କ ପତ୍ନୀ ଏବଂ ଗୁରୁଗ୍ରାମର ଅନ୍ୟ ମହିଳାଙ୍କୁ ଗୋଟିଏ ଲେଖାଏଁ ଫ୍ଲାଟ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କ ଚୁକ୍ତି ଅନୁଯାୟୀ ତାଙ୍କ ଦରମା ସେମାନଙ୍କ ସହିତ ସମାନ ଭାବରେ ବାଣ୍ଟିବାକୁ ରାଜି ହୋଇଛନ୍ତି ବୋଲି ହରିଶ ଦିଓ୍ଵାନ କହିଛନ୍ତି।
ଏହି ଚୁକ୍ତିର କୌଣସି ଆଇନଗତ ବାସ୍ତବତା ଅଛି କି ବୋଲି ପଚରାଯିବାରୁ ହରିଶ ଦିଓ୍ଵାନ କହିଛନ୍ତି, ‘ପାରସ୍ପରିକ ସହମତିରେ ତିନି ଜଣଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଛି। ଏଥିରେ ପରିବାର ଅଦାଲତ କିମ୍ବା କାଉନସିଲରଙ୍କ କୌଣସି ଭୂମିକା ନାହିଁ। ବାସ୍ତବରେ ଏହି ତିନି ଜଣଙ୍କୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ହିନ୍ଦୁ ଏବଂ ହିନ୍ଦୁ ଆଇନ ଅନୁଯାୟୀ ସେମାନଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ବେଆଇନ। ଆଇନ୍ ଅନୁଯାୟୀ ଜଣେ ହିନ୍ଦୁ ପୁରୁଷ ତାଙ୍କ ପ୍ରଥମ ପତ୍ନୀଙ୍କୁ ଆଇନଗତ ଉପାୟରେ ଛାଡ଼ପତ୍ର ନଦେବା ପର୍ଯ୍ୟନ୍ତ ଅନ୍ୟ ମହିଳାଙ୍କୁ ବିବାହ କରିପାରିବେ ନାହିଁ, କିନ୍ତୁ ସେମାନେ ସେମାନଙ୍କ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ’।