ନୂଆଦିଲ୍ଲୀ: କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲାଚାୟନ୍ ଗାଁରେ ଦୁଇବର୍ଷର ଶିଶୁ ବୋରାୱଲ ଭିତରେ ଖସି ପଡ଼ିଥିବା ଖବର ମିଳିଛି। ଗତକାଲି ସନ୍ଧ୍ୟା ୬ଟା ପରଠାରୁ ଶିଶୁକୁ ବୋରାୱଲ ଭିତରୁ ଉଦ୍ଧାର କରିବା କାମ ଆରମ୍ଭ ହୋଇଥିବା ବେଳେ ଗୁରୁବାର ବି ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ୨ବର୍ଷର ଶିଶୁ ଘର ବାହାରେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ବୋରୱେଲରେ ଖସିପଡ଼ିଥିଲା। ଶିଶୁକୁ ବୋରୱେଲରେ ଖସିପଡ଼ିଥିବା ଦେଖି ପଡ଼ିଶାଲୋକ ଶିଶୁର ମା’ ଓ ବାପାଙ୍କୁ ସଙ୍ଗେସଙ୍ଗେ  ଖବର ଦେଇଥି‌ଲେ।

ଏହାପରେ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଖବର ପାଇ ରାଜସ୍ୱଅଧିକାରୀ, ଅଗ୍ନିଶମ, ଆପାତ୍ତକାଳୀନ ସେବା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯଥାସମ୍ଭବ ପ୍ରୟାସ ଆରମ୍ଭ କରିଥିଲେ। ଏବେ ବି ଏହି ପ୍ରାୟସ ଜାରି ରହିଛି।  ଶିଶୁକୁ ନିଶ୍ବାସ ନେବାରେ ଯେମିତି କୌଣସି ଅସୁବିଧା ନହେଉ ସେଥିପାଇଁ ଅକ୍ସିଜେନ ପାଇପ ଭିତରକୁ ଛଡ଼ା ଯାଇଛି।

ପିଲାଟି ପ୍ରାୟ୧୬ ଫୁଟ ତଳେ ଫସିଥିବା ଅନୁମାନ କରାଯାଉଛି। ଶିଶୁର କୌଣସି ଶବ୍ଦ ଭିତରୁ ଶୁଣାଯାଉ ନାହିଁ। ଯେଉଁଥିପାଇଁ ଶିଶୁର ମା’ ଓ ବାପା କାନ୍ଦିକାନ୍ଦି ଅଚେତ ହୋଇଯାଉଛନ୍ତି। ଉଦ୍ଧାର ପରେ ଶିଶୁର ତୁରନ୍ତ ଚିକିତ୍ସା ପାଇଁ ଘଟଣା ସ୍ଥଳରେ ମେଡିକାଲ ଟିମ  ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଆମ୍ବୁଲାନ୍ସକୁ ମଧ୍ୟ ଷ୍ଟାଣ୍ଡବାଏ ମୋଡରେ ରଖାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକଙ୍କ ମୁଖ‌ରେ ଗୋଟିଏ କଥା ରହିଛି, ‘ ହେ ଭଗବାନ ଏ ବିପଦରୁ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରନ୍ତୁ।’