ମୋଦୀ ସାଙ୍ଗିଆ ମାନହାନି ମାମଲା: ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌

ଜାମିନ ମିଳିଲା, ଅପିଲ୍‌ ପାଇଁ ୩୦ ଦିନ, ହାଇକୋର୍ଟ ଯିବୁ: କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଜ୍ଞାକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ମହଙ୍ଗା ପଡ଼ିଛି। ଏସଂକ୍ରାନ୍ତ ମାନହାନି ମାମଲାରେ ଗୁଜରାଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମନା କରାଯାଇଛି। ତେବେ କୋର୍ଟ ତାଙ୍କୁ ତତ୍‌କ୍ଷଣାତ ଜାମିନ ପ୍ରଦାନ କରିବା ସହିତ ଏହି ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହି ୩୦ ଦିନ ଭିତରେ ହାଇକୋର୍ଟ ଦଣ୍ଡାଦେଶ ଉ‌ପରେ ରୋକ୍ ନ ଲଗାଇଲେ ରାହୁଲ ଲୋକସଭାର ସଭ୍ୟପଦ ହରାଇପାରନ୍ତି। ଏହି ଦଣ୍ଡାଦେଶକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ହାଇକୋର୍ଟ ରୋକ୍ ନଲଗାଇବା ପର୍ଯ୍ୟନ୍ତ ସେ ସଂସଦ ଯିବେ ନାହିଁ ରାହୁଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୯ରେ କର୍ଣ୍ଣାଟକର ଏକ ନିର୍ବ‌ାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ ରାହୁଲ କହିଥିଲେ, ‘ସବୁ ଚୋରଙ୍କ ସଂଜ୍ଞା ମୋଦୀ କାହିଁକି ରହିଛି। ସେ ଲଳିତ ମୋଦୀ ‌ହେଉ କି ନିରବ ମୋଦୀ ହେଉ କି ନରେନ୍ଦ୍ର ମୋଦୀ ହୁଅନ୍ତୁ।’ ରାହୁଲଙ୍କ ଏହି ମନ୍ତବ୍ୟ ନେଇ ସୁରତର ବିଜେପି ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୁର୍ନେଶ ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାହୁଲଙ୍କ ଏଭଳି ଟିପ୍ପଣୀ ସମଗ୍ର ମୋଦୀ ସଂପ୍ରଦାୟକୁ ଅପମାନିତ କରିଛି ବୋଲି ଅଭିଯୋଗ ଆଣି ସୁରତ ଅଦାଲତରେ ମାନାହାନି ମକଦ୍ଦମା ଦାୟର କରିଥି‌ଲେ। ଏହି ମାମଲାରେ ରାହୁଲ ତିନି ଥର କୋର୍ଟରେ ହାଜର ହୋଇଥିଲେ।

ସଂଶୋଧିତ ଲୋକପ୍ରତିନିଧି ଆଇନ ଅନୁଯାୟୀ କୌଣସି ଅପରାଧିକ ମାମଲାରେ କୋର୍ଟ ୨ ବର୍ଷ କିମ୍ବା ତାଠାରୁ ଅଧିକ ଦିନ ପାଇଁ ଦଣ୍ଡାଦେଶ ‌ଶୁଣାଇଲେ ସାଂସଦ/ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଯିବ। ଜେଲଦଣ୍ଡ ସରିବା ପରେ ୬ ବର୍ଷ ପର୍ଯ୍ୟନ୍ତ ସେ ନିର୍ବ‌ାଚନ ଲଢ଼ିପାରିବେ ନାହିଁ। ଆଜି ରାୟ ଶୁଣାଣି ସମୟରେ ରାହୁଲ କୋର୍ଟରେ ଉପସ୍ଥିତ ଥିଲେ। ଜିଲ୍ଲା କୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ‘ଏକଛତ୍ରବାଦୀ ମୋଦୀ ସରକାର ରାହୁଲଙ୍କୁ ଭୟଭୀତ କରିବାକୁ ଚାହୁଛି ଏବଂ ଏହା କଦାପି ସଫଳ ହେବାନହିଁ’ ବୋଲି କଂଗ୍ରେସ କହିଛି। ସେହିଭଳି ରାହୁଲ ତାଙ୍କ ପ୍ରତିକ୍ରିୟାରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା କଥା କହିଛନ୍ତି। ରାହୁଲ କହିଛନ୍ତି, ମୋର ଧର୍ମ ହେଉଛି ସତ୍ୟ ଏବଂ ଅହିଂସା। ସତ୍ୟ ହେଉଛି ମୋର ଈଶ୍ବର ଏବଂ ଏହାକୁ ପାଇବାପାଇଁ ଅହିଂସା ହେଉଛି ଏହାର ମାଧ୍ୟମ।

ତେବେ ରାହୁଲଙ୍କୁ ଜେଲ୍‌ ଦଣ୍ଡାଦେଶ ହେବାପରେ ଆଜି ତାଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ବିପୁଳ ସମର୍ଥନ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାହୁଲଙ୍କୁ ସମର୍ଥନ କରିଛନ୍ତି। କେଜ୍ରିୱାଲ ଟ୍ବିଟ୍‌ କରି କହିଛନ୍ତି, ଅଣ ବିଜେପି ନେତା ଓ ଦଳକୁ ହଟାଇବାପାଇଁ ଷଡ଼ଯନ୍ତ୍ର ଚାଲିଛି। କଂଗ୍ରେସ ସହ ଆମର ମତଭେଦ ରହିଛି। କିନ୍ତୁ ଏକ ମାନହାନି ମାମଲାରେ ରାହୁଲଙ୍କୁ ଏଭଳି ଜେଲ୍‌ ଦଣ୍ଡ ହେବା ଆଦୌ ଠିକ୍‌ ନୁହେଁ। ଏବେ ଜନସାଧାରଣ ଏବଂ ବିରୋଧୀ ଦଳ ନେତାମାନେ ଏନେଇ ପ୍ରଶ୍ନ କରିବା ଉଚିତ। କେଜ୍ରିୱାଲ କହିଛନ୍ତି, ଆମେ କୋର୍ଟଙ୍କୁ ସମ୍ମାନ ଦେଉଛୁ କିନ୍ତୁ ଏଭଳି ରାୟକୁ ଗ୍ରହଣ କରିପାରୁନୁ ।

ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କହିଛନ୍ତି, ‘ଭୟାଳୁ ଶାସକମାନେ ରାହୁଲଙ୍କ ସ୍ବର ଦବାଇବାପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ତେବେ ମୋ ଭାଇ କେବେ ବି ଭୟ କରିନାହାନ୍ତି କି କରିବେନି। ସେ ଲଗାତାର ଭାବେ ସତ କହିବେ ଏବଂ ଦେଶବାସୀଙ୍କ ପକ୍ଷରୁ ସ୍ବର ଉତ୍ତୋଳନ କରିବେ। ପ୍ରିୟଙ୍କା କହିଛନ୍ତି, ସତ୍ୟର ଶକ୍ତି ଏବଂ କୋଟି କୋଟି ଦେଶବାସୀଙ୍କ ଭଲପାଇବା ‌ମୋ ଭାଇଙ୍କ ସହ ରହିଛି।

ଇତିମଧ୍ୟରେ ବିଜେପି କହିଛି ଯେ କଂଗ୍ରେସ ନେତା ରାହୁଲ ଯାହା କହିଛନ୍ତି ତାହା ଅତ୍ୟନ୍ତ ଅନର୍ଥକାରୀ, ନିନ୍ଦନୀୟ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ରାହୁଲ ତାଙ୍କର ଦାୟିତ୍ବହୀନ ଏବଂ ଅପମାନଜନକ ଟିପ୍ପଣୀ ପାଇଁ ଲୋକମାନଙ୍କୁ କ୍ଷମା ମାଗିବା ଉଚିତ। ରାହୁଲ ଦେଶର ପ୍ରତିଟି ଗଣତାନ୍ତ୍ରିକ ଅନୁଷ୍ଠାନକୁ ଅପମାନିତ କରିଛନ୍ତି।

ସମ୍ବନ୍ଧିତ ଖବର