ତୁଟୁନି ଅଡୁଆ: ପୁଣି ଆପ ବିଧାୟକ ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କ ଅଡୁଆ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଉତ୍ତରପ୍ରଦେଶର ଏକ ଜେଲରେ ବନ୍ଦୀ ଥିବା ସୋମନାଥ ଭାରତୀଙ୍କୁ ଅନ୍ୟ ଏକ ମାମଲାରେ କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି | ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ୨ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି | ଏହା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଶନିବାର ଦିନ ଏହି ଦଣ୍ଡାଦେଶ ଶୁଣାଣିବେଳେ କୋର୍ଟ କହିଛନ୍ତି ଯେ ଜରିମାନା ଆଦାୟ ନକଲେ ୧ ମାସର ଅତିରିକ୍ତ ଦଣ୍ଡ ଭୋଗିବାକୁ ପଡ଼ିବ।

ତେବେ କୋର୍ଟଙ୍କ ଏହି ରାୟ ପ୍ରକାଶର କିଛି ସମୟ ପରେ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦିଲ୍ଲୀ ହାଇକୋର୍ଟ ସୋମନାଥଙ୍କୁ ଜାମିନ ପ୍ରଦାନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୨୦୧୬ ରେ, ଏମ୍ସର ମୁଖ୍ୟ ସୁରକ୍ଷା ଅଧିକାରୀ, ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ହଜଖାସ୍ ପୁଲିସ ଷ୍ଟେସନରେ ଆପ ବିଧାୟକ ସୋମନାଥ ଭାରତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ୨୦୧୬ ରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଜଣେ ସୁରକ୍ଷା କର୍ମଚାରୀଙ୍କୁ ସୋମନାଥ ଭାରତୀ ଓ ତାଙ୍କ ସମର୍ଥକ ମାଡ ମାରିଥିଲେ।

୪ ବର୍ଷ ଧରି ମାମଲା ଚାଲିବା ପରେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଆନ ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର ପାଣ୍ଡେ, ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଆକ୍ରମଣ, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ଭଳି ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ ଓ ଆଜି ଦଣ୍ଡ ଶୁଣାଣି ହୋଇଥିଲା । ସୂଚନା ଥାଉ କି ସୋମନାଥ ଭାରତୀ ବର୍ତ୍ତମାନ ଉତ୍ତରପ୍ରଦେଶର ଜେଲରେ ଅଛନ୍ତି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା |

ସମ୍ବନ୍ଧିତ ଖବର