୨୦ ଆପ୍‌ ବିଧାୟକ ଅଯୋଗ୍ୟ : ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ୨୦ ଜଣ ବିଧାୟକ ଲାଭଜନକ ପଦ ପଦବି ହାତେଇଥିବା କାରଣରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ପଠାଇଥିବା ସୁପାରିସ୍‌କୁ ଆଜି ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି। ଆମ୍‌ ଆଦମି ପାର୍ଟି ଏହା ବିରୋଧରେ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ଯିବାକୁ ସଜବାଜ ହେଉଥିବା ବେଳେ ଉପନିର୍ବାଚନ ପାଇଁ ଆଗୁଆ ସଜବାଜ ଆରମ୍ଭ କରିଛନ୍ତି ବିଜେପି ଓ କଂଗ୍ରେସ। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ମଧ୍ୟରେ ବୟାନବାଜି ବି ବଢ଼ିବାରେ ଲାଗିଛି। ରାଷ୍ଟ୍ରପତିଙ୍କ ପଦକ୍ଷେପ ପରେ ଆପ୍‌ ପକ୍ଷରୁ ଏହାକୁ ଦୁର୍ଭାଗ୍ୟଜନକ, ଅସାମ୍ବିଧାନିକ ଓ ଗଣତନ୍ତ୍ର ପ୍ରତି ବିପଦ ବୋଲି କୁହାଯାଇଥିବା ବେଳେ ବିଜେପି ନେତା ଯଶୋବନ୍ତ ସିହ୍ନା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ୨୦ ଆପ୍‌ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଲାଗି ସିଇସି ଏକେ ଜ୍ୟୋତିଙ୍କ ସୁପାରିସ ପରେ ଦଳ ବିଧାୟକମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ପକ୍ଷ ରଖିିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଜି ସେମାନେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ କମିସନ୍‌ଙ୍କ ସୁପାରିସକୁ ଗ୍ରହଣ କରି ନେଇଥିଲେ। ରାଷ୍ଟ୍ରପତିଙ୍କ ଏଭଳି ପଦକ୍ଷେପ ସେମାନଙ୍କୁ ମର୍ମାହତ କରିଛି ବୋଲି ଦିଲ୍ଲୀର ମନ୍ତ୍ରୀ ତଥା ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। ଏ ବାବଦରେ ଆବଶ୍ୟକ ପଡ଼ିଲେ ସେମାନେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ରାୟ କହିଛନ୍ତି। ଅନ୍ୟପକ୍ଷରେ ସବୁଠୁ ବଡ଼ ଅଦାଲତ କୁହାଯାଉଥିବା ‘ଜନତାଙ୍କ ମତକୁ’ ସାମନା କରିବାକୁ ମଧ୍ୟ ତାଙ୍କ ଦଳ ପ୍ରସ୍ତୁତ ବୋଲି ଆପ୍‌ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି।

ଏହି ୨୦ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ କେଜ୍ରିଓ୍ଵାଲ୍‌ଙ୍କ ଆପ୍‌ ସରକାର ପାଇଁ ତୁରନ୍ତ କୌଣସି ବଡ଼ ବିପଦ ନଥିଲେ ହେଁ ଏହା ଦଳର ସଂକଟ ବଢ଼ାଇଦେଇଛି। ଏହା ଫଳରେ ଦିଲ୍ଲୀ ବିଧାନସଭାରେ ଆପ୍‌ ସଦସ୍ୟ ସଂଖ୍ୟା ୪୨କୁ ଖସି ଆସିଛି। ୩ ବର୍ଷ ତଳେ ହୋଇଥିବା ନିର୍ବାଚନରେ ବିଧାନସଭାର ମୋଟ ୭୦ ଆସନରୁ ଆପ୍‌ ୬୭ ଆସନ ଦଖଲ କରି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ୨୦୧୫ରେ ଦଳ ଅସୀମ ଅହମ୍ମଦ ଖାନ୍‌ଙ୍କୁ ନିଲମ୍ବନ କରିଥିଲା। ପରବର୍ତ୍ତୀ ସମୟରେ ଆଉ ଜଣେ ବିଧାୟକ ପଙ୍କଜ ପୁଷ୍କର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବିରୋଧରେ ବିଦ୍ରୋହ କରି ଦଳରୁ ନିଲମ୍ବିତ ହୋଇଥିଲେ। ୨୦୧୬ରେ ଆଉ ଜଣେ ମନ୍ତ୍ରୀ ସନ୍ଦୀପ କୁମାର ସେକ୍ସ ସ୍କାଣ୍ଡାଲ ମାମଲାରେ ବହିଷ୍କୃତ ହୋଇଥିଲେ। ଏହାପରେ ମନ୍ତ୍ରୀ କପିଳ ମିଶ୍ରା ଦଳ ବିରୋଧୀ କାର୍ଯ୍ୟ କରି ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ୨୦୧୭ରେ ବିଧାୟକ ଜର୍ଣ୍ଣାଲି ସିଂହ ପଂଜାବରେ ନିର୍ବାଚନ ଲଢ଼ିବା ପାଇଁ ଇସ୍ତଫା ଦେଇଥିଲେ ଏବଂ ଉପ ନିର୍ବାଚନରେ ଏହି ଆସନ ଆପ୍‌ ବଜାୟ ରଖିପାରି ନଥିଲା। ଏଭଳି ସ୍ଥିତିରେ ଆଉ ୨୦ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଆପ୍‌ର ଶକ୍ତି ୪୨କୁ ଖସିଆସିଛି।

ସମ୍ବନ୍ଧିତ ଖବର