ଜାହାଙ୍ଗୀରପୁରୀ ହିଂସାରେ ୨୦ ଗିରଫ: ପୁଲିସ ଉପରକୁ ଗୁଳି କରିଥିବା ଅସ୍‌ଲାମ ଗିରଫ

ଷଡ଼ଯନ୍ତ୍ରକାରୀ ଅନ୍‌ସାର ପୂର୍ବରୁ ଦୁଇଟି ଆକ୍ରମଣ ଘଟଣାରେ ଜଡ଼ିତ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀଠାରେ ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଟୋକାପଥର ମାଡ଼ ଘଟଣାକୁ ନେଇ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ପୁଲିସ ଅଦ୍ୟାବଧି ୨୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛି ୨୧ ବର୍ଷୀୟ ମହମ୍ମଦ ଅସ୍‌ଲାମ ଯେ କି ଜଣେ ସବ୍‌ଇନ୍ସପେକ୍ଟରଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ସେହପରି ପୁଲିସ ଜାହାଙ୍ଗୀରପୁରୀ ହିଂସାର ଅନ୍ୟତମ ପ୍ରମୁଖ ଷଡ଼୍‌ଯନ୍ତ୍ରକାରୀ ଅନ୍‌ସାରକୁ ମଧ୍ୟ ଗିରଫ କରିଥିବା ପ୍ରକାଶ କରିଛି।

ପୁଲସର କହିବା ଅନୁସାରେ, ହିଂସା ସମୟରେ ପଥରମାଡ଼ ସହ କେତେକ ଗାଡ଼ିକୁ ଜାଳି ଦିଆଯାଇଥିଲା। ହିଂସା ସମୟରେ ଜଣେ ପୁଲିସ ସବ୍‌ଇନ୍ସପେକ୍ଟର ବୁଲେଟ୍ ମାଡ଼ ଯୋଗୁ ଆହତ ହୋଇଥିଲେ। ହିଂସାକାଣ୍ଡରେ ୯ ଜଣ ସ୍ଥାନୀୟ ଲୋକ ଓ ୮ ଜଣ ପୁଲିସ ଆହତ ହୋଇଥିଲେ। ହିଂସା ସମୟର ସିସିଟିଭି ଭିଡିଓ ଫୁଟେଜରୁ କିଛି ଲୋକ ଟେକାପଥର ଫିଙ୍ଗୁଥିବା ବେଳେ ଆଉ କିଛି ଲୋକ ହାତରେ ଖଣ୍ଡା ଓ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଅସ୍‌ଲାମ ଓ ଅନ୍‌ସାର ସହ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆହତମାନେ ବାବୁ ଜଗଜ୍ଜୀବନ ରାମ ସ୍ମାରକୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଗିରଫ ଅନ୍‌ସାର ପୂର୍ବରୁ ଦୁଇଟି ଆକ୍ରମଣ ଘଟଣାରେ ଜଡ଼ିତ ଥିଲା ଏବଂ ବାରମ୍ବାର ଗିରଫ ବି ହୋଇଥିଲା।

ଅନ୍ୟତମ ଗିରଫ ଆସାମୀ ୨୧ ବର୍ଷୀୟ ଆସଲାମ ଜଣେ ସବ୍‌ଇନ୍ସପେକ୍ଟରଙ୍କ ଉପରକୁ ଗୁଳି ମାରିଥିଲା। ଜାହାଙ୍ଗୀରପୁରୀର ସିଡି ପାର୍କରେ ବସ୍ତି ଅଞ୍ଚଳରେ ରହୁଥିବା ଆସଲମ ଗୁଳି ମାରିବା ପାଇଁ ଯେଉଁ ପିସ୍ତଲ ବ୍ୟବହାର କରିଥିଲା, ପୁଲିସ ତାହାକୁ ଜବତ କରିଛି। ଯୁଗ୍ମ କମିସନର (ଆଇନ ଶଙ୍ଖଳା) ଲଭ୍ କୁମାର କହିଛନ୍ତି, ଦିଲ୍ଲୀର ଏହି ସମ୍ବେଦନଶୀଳ ଘଟଣା ପରେ ସାଧାରଣରେ ବିଶ୍ବାସ ଓ ସୁରକ୍ଷାର ଭାବ ସୃଷ୍ଟି କରିବା ପାଇଁ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏଥି ସହ କୌଣସି ପ୍ରକାର ଗୁଜବ ରଟନା ନ କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନା ଓ ଦୀପେନ୍ଦର ପାଠକଙ୍କ ସହ ଜାହାଙ୍ଗୀରପୁରୀ ହିଂସା ବିଷୟରେ ଆଲୋଚନା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ଏମ୍‌ପି ହଂସରାଜ ହଂସ କହିଛନ୍ତି, ଏହି ହଂସା ଘଟଣା ଭାରତକୁ ନିନ୍ଦିତ କରିବା ପାଇଁ ଏକ ଅନ୍ତର୍ଜାତୀୟ ଷଡ଼୍‌ଯନ୍ତ୍ର।

ସମ୍ବନ୍ଧିତ ଖବର