ବିଧାୟକଙ୍କୁ ୨୦ କୋଟି ଲେଖାଏଁ ଯଚା ଯାଉଛି: ଆପ୍‌

ଆପ୍‌ ବିଧାୟକ ଦଳର ବୈଠକ ଆଜି, ସ୍ବତନ୍ତ୍ର ଅଧିବେଶନ ଡକାଇଲେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ବେଳେ ଆଜି ଆପ୍‌ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଆପ୍‌ (ଆମ୍‌ ଆଦମୀ ପାର୍ଟି) ଦାବି କରିଛି ଯେ ବିଜେପି ଦିଲ୍ଲୀ ସରକାର ଭାଙ୍ଗିବାପାଇଁ ଷଡ଼ଯନ୍ତ୍ର କରିଛି। କେତେକ ଆପ୍‌ ବିଧାୟକଙ୍କୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯଚାଯାଇଛି ବୋଲି ଆପ୍‌ କହିଛି। ଏହା ନକଲେ ସେମାନଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ ‌ଧମକ ମିଳିଛି ବୋଲି ଆପ୍‌ର ଜାତୀୟ ମୁଖପାତ୍ର ସଂଜୟ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଭଳି ଅଭିଯୋଗ ପରେ କେଜ୍ରିୱାଲ୍‌ ସରକାର ଶୁକ୍ରବାର (୨୬ ଅଗଷ୍ଟ) ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ସମସ୍ତ ବିଧାୟକ ହାଜର ରହିବାକୁ ହ୍ବିପ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ବିଜେପି ଏହାର ଜବାବରେ କହିଛି ଯେ ଆପ୍‌ର ଦୁର୍ନୀତି ପଦାକୁ ଆସିବା ପରେ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହେବାପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସାହସ ନାହିଁ। କେବଳ ବିଭ୍ରାନ୍ତି ସୃଷ୍ଟି କରି ଲୋକଙ୍କୁ ଦ୍ବନ୍ଦ୍ବରେ ରଖିବାକୁ କେଜ୍ରିୱାଲ ଓ ମନିଷ ସିସୋଦିଆ ଚାଲ୍‌ ଖେଳୁଛନ୍ତି ବୋଲି ବିଜେପି ଜାତୀୟ ପ୍ରବକ୍ତା ଗୌରବ ଭାଟିଆ କହିଛନ୍ତି। ଆପ୍‌ ନେତାଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏବେ କେବଳ ମିଛ ଖବର ଦ୍ବାରା ହଟଚମଟ କରିବାକୁ ଚାହୁଥିବା ବିଜେପି କହିଛି।

ଆପ୍‌ ବିଧାୟକ ଦଳର ବୈଠକ ଆଜି
ଦୁର୍ନୀତି ପଦାକୁ ଆସିବା ପରେ ଆପ ବିଚଳିତ: ବିଜେପି

ଆପ୍‌ ନେତା ସଂଜୟ ସିଂହ ବିଜେପି ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଅଜୟ ଦତ୍ତ, ସଂଜୀବ ଝା, ସୋମନାଥ ଭାରତୀ ଏବଂ କୁଲଦୀପ କୁମାରଙ୍କୁ ବିଜେପିର କିଛି ନେତା ଅନୁରୋଧ କରିଥିଲେ। ବିଜେପିରେ ଯୋଗ ‌ଦେଲେ ୨୦ କୋଟି ମିଳିବ ଏବଂ ଅନ୍ୟ ବିଧାୟକଙ୍କୁ ସାଥିରେ ଆଣିଲେ ସେମାନଙ୍କୁ ୨୫ କୋଟି ଲେଖାଏଁ ମିଳିବ ବୋଲି ବିଜେପି ଲୋଭ ଦେଖାଇଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେକୌଣସି ଉପାୟରେ କେଜ୍ରିୱାଲ ସରକାର ଭାଙ୍ଗିବାପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ସିଂହ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ କେଜ୍ରିୱାଲ ଆଜି ଏକ ଟ୍ବିଟ୍‌ କରି ଏହି ମାମଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଆଜି ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ହୋଇଛି। ଆସନ୍ତାକାଲି ମଧ୍ୟ ବିଧାୟକ ଦଳର ବୈଠକ ପାଇଁ ବିଧାୟକଙ୍କୁ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର