ପାଟନା : ବିହାରର ସରଣ ଜିଲ୍ଲା ଅନ୍ତର୍ଗତ ଛାପ୍ରାରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଦାବି ଅନୁଯାୟୀ ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ଜଣେ ବ୍ୟକ୍ତି ତାଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି। ଇସୁଆପୁର ଥାନା ଅଧୀନସ୍ଥ ଡୋଇଲା ଗ୍ରାମ ଏବଂ ମସରକ ଥାନା ଅନ୍ତର୍ଗତ ୟାଡୁ ମୋର୍ ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି। ମଧୌରା ଡିଏସ୍ପି କହିଛନ୍ତି, ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇପଡ଼ିଥିବା ଲୋକଙ୍କୁ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ସ୍ଥାନୀୟ ବିଜେପି ନେତା ଜନକ ସିଂହ ଉକ୍ତ ମଦମୃତ୍ୟୁ ପାଇଁ ନୀତୀଶଙ୍କ ନେତୃତ୍ବାଧୀନ ବିହାର ସରକାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ହଜାର ହଜାର ଲୋକଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହେଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଏନେଇ କିଛି କରୁନାହାନ୍ତି। ଉଲ୍ଲେଖଯୋଗ୍ୟ, ବିହାରରେ ମଦ ନିଷିଦ୍ଧ କରାଯାଇଛି କିନ୍ତୁ ଏହାସତ୍ତ୍ବେ ରାଜ୍ୟରେ ମଦମୃତ୍ୟୁ ବଢ଼ି ଚାଲିଛି।
ବିହାର ଅବକାରୀ ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି, ରାଜ୍ୟରେ ବିଷାକ୍ତ ମଦ ପାଇଁ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତାମାନେ ନୀତୀଶ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଆଜି ରାଜ୍ୟ ବିଧାନସଭା ବାହାରେ ଆନ୍ଦୋଳନ କରିଛନ୍ତି। ବିରୋଧୀ ଦଳ ବିଧାୟକମାନେ କହିଛନ୍ତି, ପୁଲିସ ଏବଂ ବେଆଇନ ମଦ ବ୍ୟବସାୟୀଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି, ମଦ ନିଷିଦ୍ଧକୁ ଆମେ ସବୁବେଳେ ସମର୍ଥନ କରିଛୁ। କିନ୍ତୁ ସରକାର ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ନିଷ୍ଠା ଦେଖାଉନାହାନ୍ତି।