ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବସ୍‌ : ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବସ୍‌ର ଇନ୍ଧନ ଟାଙ୍କି ଫାଟିଗଲା

କନୌଜ : ଉତ୍ତର ପ୍ରଦେଶର କନୌଜରେ ଆଜି ରାତିରେ ଏକ ସ୍ଲିପର୍ ବସ୍‌ ଦୁର୍ଘଟଣା ପରେ ଜଳିଯିବାରୁ ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବସ୍‌ରେ ପ୍ରାୟ ୭୦ ଜଣ ଯାତ୍ରୀ ରହିଥିଲେ। ଅନ୍ୟମାନେ ବସ୍‌ରୁ ଡେଇଁ ଜୀବନ ରକ୍ଷା କରିବାକୁ ସମର୍ଥ ହୋଇଛନ୍ତି। ୨୧ଜଣ ଯାତ୍ରୀ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ଓ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଫରୁଖାବାଦର ବିମଳ ବସ୍‌ ସର୍ଭିସର ଏହି ବସ୍‌ଟି ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ଜୟପୁର ଯାଉଥିବା ବେଳେ ଦିଲ୍ଲୀ-କାନପୁର ହାଇୱେର ଚିବ୍‌ରାମାଉ ଥାନା ଅଂଚଳରେ ଏକ ଟ୍ରକ୍‌ ସହ ପ୍ରଚଣ୍ଡ ଧକ୍କା ହୋଇଥିଲା। ଟ୍ରକ୍‌ଟିରେ କିଛି ଦହନଶୀଳ ପଦାର୍ଥ ରହିଥିବ‌ାରୁ ସଂଗେ ସଂଗେ ନିଆଁ ଲାଗି ଯାଇଥିଲା ଏବଂ ବସ୍‌ର ଇନ୍ଧନ ଟାଙ୍କି ଫାଟିଯିବାରୁ ତତ୍‌କ୍ଷଣାତ୍‌ ବସ୍‌ଟି ଜଳିବାକୁ ଆରମ୍ଭ କରିଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇ ଯାଇଥିଲେ ଏବଂ ସମସ୍ତ ଝରକା ମଧ୍ୟ ବନ୍ଦ ଥିଲା।

ତେଣୁ ଅନେକ ଯାତ୍ରୀ ଭିତରେ ରହି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଗୁରୁତର ଆହତ ହୋଇଥିବା ୨୧ ଯାତ୍ରୀଙ୍କୁ ହସ୍ପିଟାଲକୁ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବସ୍‌ ଭିତରେ ଅତି କମ୍‌ରେ ୧୫ ଜଣ ଯାତ୍ରୀ ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା କାନପୁର ଆଇଜି ‌େମାହିତ ଅଗ୍ରୱାଲ କହିଛନ୍ତି। ଏ ଯାଏ ସେମାନଙ୍କ ପରିଚୟ ମିଳି ପ‌ାରିନାହିଁ। ତେବେ ମୃତ୍ୟୁ ସଂଖ୍ୟା ୨୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଜିଲ୍ଲାପାଳ କନୌଜ ଏସ୍‌ପିଙ୍କୁ ଘଟଣାସ୍ଥଳକୁ ଯାଇ ଆହତ ଯାତ୍ରୀମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘେ‌ାଷଣା କରିଛନ୍ତି।

ସମ୍ବନ୍ଧିତ ଖବର