୨୦୧୯ରେ ସମଗ୍ର ବିଶ୍ୱରେ ୨୦ଟି ବିମାନ ଦୁର୍ଘଟଣାରେ ୨୮୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୨୦୧୯ରେ ସମଗ୍ର ବିଶ୍ବରେ ୨୦ଟି ବଡ଼ ବିମାନ ଦୁର୍ଘଟଣା ଘଟିଛି ଏବଂ ଦୁର୍ଘଟଣାରେ ମୋଟ ୨୮୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସତ୍ତ୍ବେ ବି ୨୦୧୯ ବର୍ଷଟି ସମସ୍ତ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ନିରାପଦ ବର୍ଷ ଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ବିଗତ ୭୪ ବର୍ଷ ମଧ୍ୟରେ ୨୦୧୯ ବିମାନ ଚଳାଚଳ ପାଇଁ ଏକ ନିରା‌ପଦ ବର୍ଷ ଥିଲା ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୯ ମାର୍ଚ୍ଚ ୧୦ରେ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାଠାରେ ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫୭ ଜଣଙ୍କର ପ୍ରାଣହାନି ଘଟିଥିଲା। ସେହିଭଳି ଏହାର ପୂର୍ବଦିନ କଲମ୍ବିଆଠାରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ଷର ଶେଷ ଦୁର୍ଘଟଣା ଡିସେମ୍ବର ୨୭ ତାରିଖରେ କାଜାକ୍‌ସ୍ତାନରେ ଘଟିଥିଲା ଏବଂ ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷ ସମଗ୍ର ବିଶ୍ବରେ ମୋଟ ୨୦ଟି ବିମାନ ଦୁର୍ଘଟଣାରେ ମୋଟ ୨୮୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ବେ ବି ୨୦୧୯ ବିମାନ ଚଳାଚଳ ପାଇଁ ଏକ ନିରାପଦ ବର୍ଷ ଥିଲା ବୋଲି ଆଭିଏସନ୍‌ ସେଫ୍‌ଟି ନେଟୱର୍କ ସୂତ୍ରରୁ ପ୍ରକାଶ। ୧୯୪୬ (ଦ୍ବିତୀୟ ବିଶ୍ବଯୁଦ୍ଧ) ପରଠାରୁ ୨୦୧୯ ମଧ୍ୟରେ ୨୦୧୯ ହେଉଛି ସବୁଠାରୁ ନିରାପଦ ବର୍ଷ। ତେବେ ୧୯୭୨ ହେଉଛି ବିମାନ ଚଳାଚଳ ଇତିହାସର ସବୁଠୁ ଖରାପ ବର୍ଷ। ଏହିବର୍ଷ ବିମାନ ଦୁର୍ଘଟଣାରେ ସମଗ୍ର ବିଶ୍ବରେ ମୋଟ ୬୫ଟି ବିମାନ ଦୁର୍ଘଟଣାରେ ୨,୪୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ୧୯୫୫ରେ ମାତ୍ର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୩ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏ ଦୁଇଟି ବର୍ଷ ବିମାନ ଚଳାଚଳ ଇତିହାସର ନିରାପଦ ବର୍ଷ ଥିଲା। ୧୯୪୬ରୁ ବିମାନ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଉଥିବା ‌ବେଳେ ୧୯୯୦ରୁ ଏହା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେବେ ୧୯୫୦ରୁ ୧୯୭୯ ଯାଏ ବିମାନ ଚଳାଚଳ ପାଇଁ ସବୁଠୁ ନିକୃଷ୍ଟ ସମୟ ଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର