ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି ୨୦ଜଣ ଭାରତୀୟ, ୧୪୦ଜଣ ଆଫଗାନ୍‌ ଶିଖ୍‌ ଓ ହିନ୍ଦୁ: ରିପୋର୍ଟ

ନୂଆଦିଲ୍ଲୀ: ତାଲିବାନ୍‌ ନିୟନ୍ତ୍ରଣକୁ ଚାଲିଯାଇଥିବା ଆଫଗାନିସ୍ତାନର ପରିସ୍ଥିତି ନିମ୍ନଗାମୀ ହେଉଥିବା ବେଳେ ଏବେ ମଧ୍ୟ ସେଠାରେ ଅନ୍ୟୂନ ୨୦ଜଣ ଭାରତୀୟ ନାଗରିକ, ପ୍ରାୟ ୧୪୦ଜଣ ଆଫଗାନ୍‌ ଶିଖ୍ ଏବଂ ହିନ୍ଦୁ ସ୍ଥାନାନ୍ତରଣ ପାଇଁ ପ୍ରତୀକ୍ଷା କରି ଫସି ରହିଥିବା ବିଶ୍ବାସ କରାଯାଉଛି।

ସ୍ଥାନାନ୍ତରଣ ନିମନ୍ତେ ଭାରତ ସରକାରଙ୍କ ନିକଟରେ ଉଦ୍ୟମ କରୁଥିବା ଶେଷ ଭାରତୀୟ ନାଗରିକମାନଙ୍କ ମଧ୍ୟରେ ଉକ୍ତ ୨୦ଜଣ ଥିବା କଥା କୁହାଯାଉଛି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଉକ୍ତ ୨୦ଜଣଙ୍କ ବ୍ୟତୀତ ଆହୁରି କେତେକ ଭାରତୀୟ ନାଗରିକ ମଧ୍ୟ ସ୍ଥାନାନ୍ତରଣ ପାଇଁ ଏଯାବତ୍ ଚେଷ୍ଟା କରି ନାହାନ୍ତି। ଏହାଛଡ଼ା, ଅନ୍ୟ କେତେକ ଭାରତୀୟ ନାଗରିକ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁ ନାହାନ୍ତି।

ଅଗଷ୍ଟ ୧୫ ତାରିଖ ଠାରୁ ଭାରତ ୮୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରି ସାରିଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ନାଗରିକ ଏବଂ ଆଫ୍‌ଗାନ୍‌ ଶିଖ୍‌ ଏବଂ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ। ଗୁରୁବାର ଦିନ ଏକ ସାମରିକ ବିମାନରେ ୧୮୦ ଜଣଙ୍କୁ କାବୁଲ୍‌ରୁ ନୂଆଦିଲ୍ଲୀ ଅଣାଯାଇଛି।

Image Courtesy of The Hindu

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ସ୍ବତନ୍ତ୍ର ସର୍ବଦଳୀୟ ଅଧିବେଶନରେ ରାଜନେତାମାନଙ୍କୁ ସୂଚନା ଦେଇଥିଲେ ଯେ, ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଯୋରଦାର୍ ଅଭିଯାନ ଚାଲିଛି ଏବଂ ଯେତେ ଅଧିକ ସମ୍ଭବ ସେତେ ଲୋକଙ୍କୁ ପ୍ରତ୍ୟାବର୍ତ୍ତନ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି।

କିନ୍ତୁ, ଗତକାଲି ସନ୍ଧ୍ୟାରେ କାବୁଲ ବିମାନ ବନ୍ଦରରେ ଦୁଇଟି ବିସ୍ଫୋରଣ ଯୋଗୁଁ ୭୨ଜଣ ନିହତ ଏବଂ ୧୪୩ଜଣ ଆହତ ହେବା ପରେ ପରିସ୍ଥିତି ଜଟିଳ ହୋଇଯାଇଛି। ସେଠାରେ ଆତଙ୍କବାଦୀମାନେ ଆକ୍ରମଣ କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌ ଏବଂ ଅନ୍ୟ କେତେକ ଦେଶ ସତର୍କ ସୂଚନା ଜାରି କରିବାର କିଛି ସମୟ ପରେ ବିସ୍ଫୋରଣ ଘଟିଲା। ‘ଆଇଏସ୍‌’ ଏହି ବିସ୍ଫୋରଣ ଘଟାଇଛି ବୋଲି ଦାବି କରୁଛି।

ସମ୍ବନ୍ଧିତ ଖବର