ଲଦାଖ ସୀମାରେ ସଂଘର୍ଷ : ୨୦ ଭାରତୀୟ ଯବାନ ସହିଦ, ଗଲୱାନ୍ ଉପତ୍ୟକାରୁ ହଟିଲା ଚୀନ୍

ଚୀନ ସେନାର ୪୩ ମୃତାହତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ଟୁଇଟ୍‌ କରି ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା କୁହାଯାଇଛି ।  ସେହିପରି ଚୀନ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି। ତେବେ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଭାରତୀୟ  ସେନା ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି, ଚୀନ ସେନା ସହ ସଂଘର୍ଷ ଘଟଣାରେ ୧୭ ଜଣ ଯବାନ ଗୁରୁତର ହୋଇଥିଲେ। ଲଦାଖର ଗଲଓ୍ଵାନ ଉପତ୍ୟାକାରେ  ତାପମାତ୍ରା ଶୂନଠାରୁ କମ୍  ଥିବା ସହ ଏହା ସମୁଦ୍ରପତ୍ତନଠାରୁ ବହୁ ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ଏହି ଆହତ ଯବାନମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛନ୍ତି। ଏହା ଫଳରେ ମୃତ୍ୟୁ ସଂଖ୍ୟା ୨୦କୁ ବଢ଼ିଛି।

ତିନି ସହିଦ୍ : କର୍ଣ୍ଣେଲ ସନ୍ତୋଷ ବାବୁ, ହାବଲଦାର କେ.ପାଲାନି ଓ ସୁନୀଲ କୁମାର ଓଝା

ଏଥିସହ ସେନା ପକ୍ଷରୁ କୁହାଯାଇଛି କି ସୋମବାର ରାତିରେ ଗଲୱାନ ଉପତ୍ୟକାର ଯେଉଁଠାରେ ଭାରତୀୟ ଓ ଚୀନ ସେନା ପରସ୍ପରର ସହ ମୁହାଁମୁହିଁ ହୋଇଥିଲେ ଓ ଘଟଣା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା, ଏବେ ସେ ସ୍ଥାନରୁ ଚୀନର ସୈନିକମାନେ ହଟିଯାଇଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତୀୟ ସେନା ବଦ୍ଧପରିକର।

ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ଯବାନ ହାବଲଦାର କେ.ପାଲାନି ଓ ସୁନୀଲ କୁମାର ଓଝାଙ୍କ ସମେତ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ପ୍ରକାଶ କରିଥିଲା । ମାତ୍ର ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଇଥିଲା।

ମଙ୍ଗଳବାର ସଂଧ୍ୟାରେ ଏ ଘଟଣା ନେଇ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏହି ବୟାନରେ କୁହାଯାଇଛି ଯେ ଜୁନ ୧୫ ରାତିରେ ଚୀନ ସେନା ପକ୍ଷରୁ ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଉଭୟ ପକ୍ଷର କ୍ଷତି ହୋଇଛି । ଯଦି ଚୀନ ପକ୍ଷ ପୂର୍ବ ବୁଝାମଣାକୁ ପାଳନ କରିଥାନ୍ତେ ତେବେ ଏହି ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା । ଭାରତ ସବୁବେଳେ ଏଲଏସି ଏପଟେ ରହି କାର୍ଯ୍ୟକରିଆସିଛି । ଚୀନ ପକ୍ଷରୁ ମଧ୍ୟ ଏହାକୁ ସମ୍ମାନ ଦିଆଯିବା ଉଚିତ । ସୀମାରେ ଦେଖାଦେଇଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତ ଉଦ୍ୟମ କରିଆସିଛି । କିନ୍ତୁ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତ ବଦ୍ଧପରିକର ।

ସମ୍ବନ୍ଧିତ ଖବର