୯ ମିନିଟ୍‌ରେ ୨୦ କିଲୋମିଟର: ଆଗ ସିଟ୍‌ରେ ମୁଣ୍ଡ ମାଡ଼ ହୋଇଥିଲା

ମର୍ସିଡିସ୍‌ ପ୍ରତିନିଧିଙ୍କ ଘଟଣାସ୍ଥଳ ପରିଦର୍ଶନ, ୱର୍ଲି ଶ୍ମଶାନରେ ଆଜି ଶେଷକୃତ୍ୟ

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଗାଡ଼ି ୯ ମିନିଟରେ ୨୦ କିମି ଯାତ୍ରା କରିଥିଲା। ରାସ୍ତାରେ ଗୋଟିଏ ଗାଡ଼ିକୁ ସେମାନେ ବାମପଟୁ ଓଭରଟେକ କରିବା ସମୟରେ ଗାଡ଼ିଟି ରାସ୍ତାର ଡିଭାଇଡରରେ ପିଟି ହୋଇଥିଲା। ପାଲଘରଠାରେ ଚାରୋଟି ତନଖି ଫାଟକ ଅତିକ୍ରମ କରିବା ପରେ କାର୍‌ଟି ମାତ୍ର ୯ ମିନିଟରେ ୨୦ କିମି ଯାତ୍ରା କରିଥିଲା। ତନଖି ଫାଟକ ନିକଟରେ ଗାଡ଼ିଟି ପାଖାପାଖି ଅପରାହ୍ଣ ୨ଟା ୨୧ ମିନିଟରେ ଅତିକ୍ରମ କରିଥିଲା ଏବଂ ଦୁର୍ଘଟଣା ୯ ମିନିଟ ପରେ ୨ଟା ୩୦ ମିନିଟରେ ହୋଇଥିଲା। ଗାଡ଼ିଟି ସୂର୍ଯ୍ୟା ନଦୀର ପୋଲ ଉପରେ ଥିବାବେଳେ ଦୁର୍ଘଟଣା ହୋଇଥିଲା। ଡ୍ରାଇଭରଙ୍କ ଆକଳନ ଜନିତ ତ୍ରୁଟି ପାଇଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ସାଇରସଙ୍କୁ ମୃତଭାବେ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଜାହାଙ୍ଗୀର ଦିନସା ପାଣ୍ଡୋଲଙ୍କର ବାଟରେ ଯିବା ସମୟରେ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସାଇରସଙ୍କର ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ଅନାହିତା ପାଣ୍ଡୋଲଙ୍କ ଭାଇ ଜାହାଙ୍ଗୀର ଦିନସାଙ୍କର ମୁଣ୍ଡରେ ଆଘାତ ଲାଗିବା ସହିତ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ଡିଭାଇଡରରେ ପିଟି ହେବା ସମୟରେ ଗାଡ଼ିର ବେଗ ଅଧିକ ରହିଥିଲା। ସେଥିପାଇଁ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇଥିଲେ ବୋଲି କୁହାଯାଉଛି। ସାଇରସ ମିସ୍ତ୍ରୀଙ୍କର ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ନ ୧୦ଟାରେ ୱର୍ଲିସ୍ଥିତ ଶ୍ମଶାନରେ ଶେଷକୃତ୍ୟ ହେବ। ଅହମଦାବାଦରୁ ମୁମ୍ବାଇ ଫେରୁଥିବା ସମୟରେ ବାଟରେ ଦୁର୍ଘଟଣା ଘଟି ତାଙ୍କର ପରଲୋକ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ କାସାସ୍ଥିତ ଡାକ୍ତରଖାନ‌ାରେ ବର୍ତ୍ତମାନ ରଖାଯାଇଛି।

ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିସ୍‌ ବେଞ୍ଜ୍‌ର ପ୍ରତିନିଧି ଆଜି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିମାନରେ ଯେଭଳି ବ୍ଲାକ୍‌ ବକ୍ସ ରହିଥାଏ, ସାଇରସ୍‌ଙ୍କ ଗାଡ଼ିରେ ସେହି ଧରଣର ଚିପ୍‌ ଥଲା। ସେଥିରେ ଗାଡ଼ିର ବେଗ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ତାହାକୁ ନେଇ କମ୍ପାନି ଏକ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବ ବୋଲି ଜଣାପଡ଼ିଛି। ସେହିପରି ସଡ଼କ ଦୁର୍ଘଟଣାର ତଦନ୍ତ କରୁଥିବା ପୁନେର ସଂସ୍ଥା ଜେପି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଏହି ଘଟଣା ଉପରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର