ସକ୍ରିୟ ମାମଲା ୨୦ ଲକ୍ଷ ଟପିଲା: ୩,୪୭,୨୫୪ ନୂଆ ମାମଲା
ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ, ଦିଲ୍ଲୀ ହସ୍ପିଟାଲରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢ଼ୁଛି
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ତୃତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୩.୪୭ ଲକ୍ଷ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ସକ୍ରିୟ ମାମଲା ୨୦ ଲକ୍ଷ ଟପିଯାଇଛି ଏବଂ ଆଜି ଏହି ସଂଖ୍ୟା ୨୦,୧୮,୮୨୫ରେ ପହଞ୍ଚିଛି। ୨୯ ରାଜ୍ୟରେ ଓମିକ୍ରନ୍ ପ୍ରଜାତି ପହଞ୍ଚି ସାରିଛି ଏବଂ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯୨ ରହିଛି। ଗତ ୨୪ ଘଣ୍ଟାରେ ୭୦୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୮୮,୩୯୬ ଏବଂ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩.୯୧ କୋଟି ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୫.୨୩ ପ୍ରତିଶତ ରହିଥିବା ବେଳେ ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ଦେଶରେ ୯୩.୫୦ ପ୍ରତିଶତକୁ ଖସି ଆସିଛି।
ଦେଶରେ ଏବେ ଦୈନିକ ପଜିଟିଭ୍ ହାର ୧୭.୯୪ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୧୬.୫୬ ପ୍ରତିଶତ ଅଛି। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ୧୬୦.୪୩ କୋଟି ଲୋକ ଟିକା ନେଲେଣି। ଗତ ୨୪ ଘଣ୍ଟାରେ ୧୯,୩୫,୯୧୨ କରୋନା ଟେଷ୍ଟ୍ ହେବା ସହ ଦେଶରେ ମୋଟ୍ ଟେଷ୍ଟିଂ ସଂଖ୍ୟା ୭୧.୧୫ କୋଟିରେ ପହଞ୍ଚିଛି। ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୪୬,୧୯୭ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୧୨୫ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି ଏବଂ ୩୭ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଗୁଜରାଟରେ ଗତ ୨୪ ଘଣ୍ଟାରେ ୨୪,୪୮୫ ନୂଆ ମାମଲା ଚିହ୍ନଟ ହୋଇଥିଲା। କେରଳରେ ଗତକାଲି ସର୍ବାଧିକ ୪୬,୩୮୭ ନୂଆ ମାମଲା ଚିହ୍ନଟ ହେବା ସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୮୯୮ରେ ପହଞ୍ଚିଛି।
ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ
ନୂଆଦିଲ୍ଲୀ: କରୋନାର ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ଦିଲ୍ଲୀରେ ମଧ୍ୟ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି। ଦିଲ୍ଲୀରେ କରୋନା ସଂକ୍ରମିତ ହୋଇଥିବା ଶିଶୁଙ୍କ ସଂଖ୍ୟା ହସ୍ପିଟାଲରେ ବଢ଼ିବାରେ ଲାଗିଛି। ଲୋକନାୟକ ହସ୍ପିଟାଲ୍ର ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର କହିଛନ୍ତି, ଗତ ୩ ସପ୍ତାହ ମଧ୍ୟରେ କରୋନା ଚିକିତ୍ସା ପାଇଁ ୨୭ ଶିଶୁ ରାଜ୍ୟ ପରିଚାଳିତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ହସ୍ପିଟାଲ୍ରେ ଥିବାବେଳେ ଅନ୍ୟ ଶିଶୁଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୩ ଶିଶୁ ଅକ୍ସିଜେନ୍ ଏବଂ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଲୋକନାୟକ ହସ୍ପିଟାଲରେ ମଧ୍ୟ କେତେକ ନବଜାତକ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ଶିଶୁଙ୍କଠାରେ କେରାନାର କେତେକ ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଜ୍ବର, ବାନ୍ତି, ଖାଦ୍ୟ କମିଯିବା ଏବଂ ପତଳା ଝାଡ଼ା ହେବ। ତେବେ ଅଧିକାଂଶ ସଂକ୍ରମିତ ଶିଶୁ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।