ରାଉରକେଲା‌ ଆଇଜିଏଚ୍‌ ସୁପରସ୍ପେସାଲିଟି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କଲେ ୨୦ ଲକ୍ଷ ଟଙ୍କା

ପିଏମ୍‌ଓ ଗଲେ ନିରଞ୍ଜନ, ମୋଦୀଙ୍କ ଦେଖା ମିଳିଲାନି

ନୂଆଦିଲ୍ଲୀ: ରାଉରକେଲା ଇସ୍ପା‌ତ ଜେନେରାଲ ହସ୍ପିଟାଲ୍‌(ଆଇଜିଏଚ୍‌)କୁ ସୁପର ସ୍ପେସାଲିଟି ହସ୍ପିଟାଲ୍‌କୁ ଉନ୍ନୀତ କରିବା ପାଇଁ ଓଡ଼ିଶା କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି କଂଗ୍ରେସ ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଉଥ୍‌ ବ୍ଲକ୍‌ କାର୍ଯ୍ୟାଳୟ‌କୁ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନ ମିଳିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ୨୦ ଲକ୍ଷ ୨୦ ହଜାର ୫୦୪ ଟଙ୍କା ଜମା କରିଥିଲେ।

ଏ ସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ପ୍ରଧାନମନ୍ତ୍ରୀ ସମୟ ନଦେବାରୁ ଏହି ଅର୍ଥରାଶିକୁ ପିଏମ୍‌ଓ ରିଲିଫ୍‌ ପାଣ୍ଠିକୁ ଦିଆଗଲା। ଏହାପରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି। ରାଉରକେଲାରେ ସୁପରସ୍ପେସାଲିଟି ହସ୍ପିଟାଲ୍‌ ଓ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ୪ ବର୍ଷ ବିତିଯିବା ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ହେଲାନି। ସେଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେ ପକାଇ ଦେବାପାଇଁ ମୁକ୍ତିକାନ୍ତ ବିଶ୍ବାଳ ନାମକ ଜଣେ ଯୁବକ ରାଉରକେଲାରୁ ଚାଲିଚାଲି ଦିଲ୍ଲୀ ଆସିଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ତାଙ୍କୁ ଦେଖା କଲେନି। ଏହି ଖବର ପ୍ରସ‌ାରିତ ହେବାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସହାୟତା ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ଅନେକ ବଦାନ୍ୟ ବ୍ୟକ୍ତି ମୁକ୍ତ ହସ୍ତରେ ଦାନ କରିଛନ୍ତି। ନିରଂଜନ କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଏହି ଅର୍ଥ ପ୍ରଦାନ ପାଇଁ ବହୁତ ଥର ଚେଷ୍ଟା କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ସମୟ ନଦେବାରୁ ଆଜି ଏହି ଅର୍ଥକୁ ରିଲିଫ୍‌ ପାଣ୍ଠିକୁ ଦାନ କରିଦେବାକୁ ବାଧ୍ୟ ହେଉଛୁ। ଉଲ୍ଲେଖଯୋଗ୍ୟ, ଆଜି ପିଏମ୍‌ଓ ରିଲିଫ୍‌ ପାଣ୍ଠିରେ ଜମା ହୋଇଥିବା ଟଙ୍କା ଏଆ‌ଇସିସି ସୋସିଆଲ ମିଡିଆ ମାଧ୍ୟମରେ ସଂଗ୍ରହ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏଆଇସିସି ସଚିବ ଅନୀଲ ଚୌଧୁରୀ, ଆଦିତ୍ୟ ଶର୍ମା, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ବିଧାୟକ ଜର୍ଜ ତିର୍କୀ, ରାଜ୍ୟ କଂଗ୍ରେସର ମିଡିଆ ପ୍ରଭାରୀ ସତ୍ୟ ପ୍ରକାଶ ନାୟକ, କଂଗ୍ରେସ ନେତ୍ରୀ ସୁଚରିତା ମହାନ୍ତି, ରାଜ୍ୟ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଅଭିଷେକ ମହାନନ୍ଦ, ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ସଭାପତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ୨୦,୨୦,୫୦୪ ଟଙ୍କାର ଚେକ୍‌ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରେ ଜମା କରିଥିଲେ।

ସମ୍ବନ୍ଧିତ ଖବର