ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ

ବିମାନ ଇଞ୍ଜିନରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୧୪୮ ଯାତ୍ରୀ

ଓ୍ଵାସିଂଟନ: ଆମେରିକାର ସାଉଥ୍‌େଓ୍ଵଷ୍ଟ ଏୟାର ଲାଇନ୍ସର ବିମାନ-୧୩୮୦ ଗତ ମଙ୍ଗଳବାର ଦିନ ନ୍ୟୁୟର୍କରୁ ଡଲାସ୍‌ ଅଭିମୁଖେ ଉଡାଣ ଭରିବାର କିଛି ସମୟ ପରେ ୩୦ ହଜାର ଫୁଟ ଉଚ୍ଚତାରେ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ଇଞ୍ଜିନରେ ବିସ୍ଫୋରଣ ହେବା ଯୋଗୁଁ ସମସ୍ତ ୧୪୮ ଜଣ ଯାତ୍ରୀ ଆତଙ୍କରେ ଥରହର ହୋଇଥିଲେ। ତେବେ ବିମାନଟି ୨୦ ମିନିଟ୍‌ ପରେ ଫିଲାଡେଲଫିଆରେ ଜରୁରୀ ଅବତରଣ କରିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଥିଲା। ବିସ୍ଫୋରଣ ପୂର୍ବରୁ ଉଡ଼ନ୍ତା ବିମାନର ଏକ ଝରକା ଭାଙ୍ଗି ଯିବାରୁ ମହିଳା ଯାତ୍ରୀ ବାହାରକୁ ଟାଣି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଯାତ୍ରୀମାନେ ଉକ୍ତ ଭଙ୍ଗା ଝରକାକୁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଇଞ୍ଜିନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିମାନର ଇଞ୍ଜିନରେ ଲାଗିଥିବା ଫ୍ୟାନ୍‌ର ଗୋଟିଏ ବ୍ଲେଡ ଭାଙ୍ଗିଯିବାରୁ ଏହି ସବୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଘଟଣା ପରେ ବୁଧବାର ଆମେରିକାର ପ୍ରାୟ ସମସ୍ତ ବିମାନ କମ୍ପାନିଗୁଡ଼ିକ ସେମାନଙ୍କର ବିମାନର ଇଞ୍ଜିନ ପରୀକ୍ଷା କରାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ମଧ୍ୟ ଫ୍ଲୋରିଡ଼ାରେ ଅନୁରୂପ ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର