ରାଷ୍ଟ୍ରପତିଙ୍କୁ ଭେଟିବେ ୨୦ ବିଧାୟକ

ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା

ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ଦ୍ୱାରା ଆମ୍‌ ଆଦ୍‌୍‌ମୀ ପାର୍ଟି (ଆପ୍‌)ର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ୍‌ କରାଯିବା ପରେ ଏହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହେଇଉଠିଛି। ଲାଭଜନକ ପଦ ପଦବିରେ ଥିବା ମାମଲାରେ ମୁଖ୍ୟ ନିର୍ବାଚନ କମିସନଙ୍କ ଏଭଳି ପଦକ୍ଷେପ ସଂପୂର୍ଣ୍ଣ ଭାବେ ବିଜେପି ଓ କେନ୍ଦ୍ର ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଅଭିଯୋଗ କରିଛନ୍ତି। ଦିଲ୍ଲୀ ସରକାରଙ୍କ ବିକାଶ ଏଜେଣ୍ଡାକୁ ରୋକିବା ପାଇଁ ବିଜେପି ଏହି ଷଡ଼ଯନ୍ତ୍ର କରିଛି ଏବଂ ଏଥିରେ ସେମାନଙ୍କୁ ନିର୍ବାଚନ କମିସନଙ୍କ ସହଯୋଗ ମିଳିଛି ବୋଲି ସିସୋଦିଆ କହିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷପାତପୂର୍ଣ୍ଣ ପଦକ୍ଷେପ ବିରୋଧରେ ଆପ୍‌ ନେତାମାନେ ଖୁବ୍‌ଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ତାଙ୍କ ବାସଭବନରେ ୨୦ ବିଧାୟକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିଳିତ ହୋଇ ରଣନୀତି ତୟାର କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ସମୟ ସ୍ଥିର ହେବାପରେ ୨୦ ବିଧାୟକ ରାଷ୍ଟ୍ରପତିଙ୍କ ସମ୍ମୁଖରେ ନିଜ ପକ୍ଷ ରଖିବେ ବୋଲି ସିସୋଦିଆ କହିଛନ୍ତି। ନିର୍ବାଚନ କମିସନଙ୍କ ନିକଟରେ ଆପ୍‌ ବିଧାୟକଙ୍କୁ ନିଜ ପକ୍ଷ ଠିକ୍‌ ଭାବେ ରଖିବାକୁ ସୁଯୋଗ ଦିଆଯାଇନାହିଁ ଏବଂ ରାଷ୍ଟ୍ରପତି ଏହି ସୁଯୋଗ ଦେବା ଉଚିତ ବୋଲି ସିସୋଦିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି ଯେ ବିଧାୟକମାନେ କୌଣସି ଲାଭ ନନେଇ ସେବା କରୁଥିଲେ, କିନ୍ତୁ ରାଜନୈତିକ କାରଣରୁ ସେମାନଙ୍କୁ ସଙ୍କଟରେ ପକାଇବାକୁ ଉଦ୍ୟମ ହୋଇଛି। ତେବେ ଆପ୍‌ ବିଧାୟକମାନେ ବିଭିନ୍ନ ସଂସଦୀୟ ସଚିବ ପରି ଲାଭଜନକ ପଦବିରେ ରହିଥିବାରୁ ସେମାନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ମୁଖ୍ୟ ନିର୍ବାଚନ କମିସନଙ୍କ ପଦକ୍ଷେପକୁ ବିଜେପି ଓ କଂଗ୍ରେସ ନେତାମାନେ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଆପ୍‌ର ବେଆଇନ କାରବାରରେ ଅଙ୍କୁଶ ଲାଗିବ ଏବଂ ସମ୍ବିଧାନର ପାଳନ ହେବ ବୋଲି ଦିଲ୍ଲୀ ବିଜେପି ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର