ନ୍ୟୁୟର୍କ: ପୃଥିବୀରେ ଜନସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଇବା ହେତୁ ଏବେ ଭବିଷ୍ୟତ ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ପୃଥିବୀକୁ ଟିକେ ହାଲୁକା କରିବା ପାଇଁ ଅନ୍ୟ କେଉଁ ଗ୍ରହରେ ଜନବସତି ସ୍ଥାପନ କରିହେବ ସେ ନେଇ ବୈଜ୍ଞାନିକମାନେ ଅନେକ ବର୍ଷ ହେବ ଗବେଷଣା ଚଳାଇ ଆସୁଛନ୍ତି। ଏବେ ସେ ନେଇ ଏକ ଆଶାର କିରଣ ଦେଖିବାକୁ ମିଳିଛି। ନିକଟରେ ବୈଜ୍ଞାନିକମାନେ ୨୦ଟି ନୂତନ ଗ୍ରହର ସନ୍ଧାନ ଖୋଜି ପାଇଛନ୍ତି। ଯେଉଁଠାରେ ଲୋକେ ବସବାସ କରିପାରିବେ ବୋଲି ଆଶା କରାଯାଉଛି। ସେ ଗ୍ରହଗୁଡ଼ିକ ମଧ୍ୟରୁ ଗୋଟାଏ ଗ୍ରହରେ ଜନବସତି କରିବାର ସମ୍ଭାବନା ଅପେକ୍ଷାକୃତ ଢେର୍ ବେଶି।
ଯେପରି ମଣିଷମାନେ ପୃଥିବୀରେ ବସବାସ କରୁଛନ୍ତି ସେହିପରି ପରଗ୍ରହୀମାନଙ୍କର ପୃଥିବୀକୁ ଆବିଷ୍କାର କରିବା ପାଇଁ ନାସା ପକ୍ଷରୁ ଏକ କେପ୍ଲର୍ ମିସନ୍ ଗଠନ କରାଯାଇଥିଲା। ଏହା ସଫଳ ହେଲେ ଆମେ ପରଗ୍ରହୀମାନଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବା ସହ ନିଜ ଭବିଷ୍ୟତ ସୁରକ୍ଷା ସଂପର୍କରେ ଚିନ୍ତା କରିପାରିବା ବୋଲି ବୈଜ୍ଞାନିକମାନେ ଆଶା ରଖି ମିସନ ଆରମ୍ଭ କରିଥିଲେ। ସେମାନେ ଏହି ମିସନ୍ରେ ଅନ୍ୟ ୧୯ଟି ଗ୍ରହ ସହିତ ଏକ ନୂତନ ପୃଥିବୀ ‘ଆର୍ଥ ୨.୦’ର ସନ୍ଧାନ ପାଇଛନ୍ତି।
ତେବେ, ସନ୍ଧାନ ମିଳିଥିବା ଏହି ୨୦ଟି ନୂତନ ଗ୍ରହ ମଧ୍ୟରୁ ହିଁ ପରଗ୍ରହୀମାନଙ୍କ ସନ୍ଧାନ ମିଳିପାରିବ ବୋଲି ଆଶା ରହିଛି। ଗବେଷକଙ୍କ କହିବା ମୁତାବକ ନୂତନ ଗ୍ରହ ମଧ୍ୟରୁ କେତେକଙ୍କର ପୃଥିବୀ ସହ ସମାନତା ରହିଛି। ଏପରିକି ତାପମାତ୍ରା ବି ପୃଥିବୀ ପରି ରହିଛି।
ସନ୍ଧାନ ମିଳିଥିବା ସମସ୍ତ ଗ୍ରହମାନଙ୍କ ମଧ୍ୟରୁ କେଓଆଇ-୭୯୨୩.୦ ଗ୍ରହରେ ଜନବସତିର ଟିକେ ଅଧିକ ସମ୍ଭାବନା ରହିଛି। ଅନ୍ୟ ଗୋଟିଏ ପୃଥିବୀର ସନ୍ଧାନ ହୁଏତ ଏହି ଗ୍ରହରେ କରାଯାଇପାରେ ବୋଲି ବୈଜ୍ଞାନିକଗଣ ମତ ଦେଇଛନ୍ତି। ଏଠାରେ ୩୯୫ ଦିନରେ ଗୋଟାଏ ବର୍ଷ ହେଉଛି। ଏହାର ଆକୃତି ୯୭ ପ୍ରତିଶତ ପୃଥିବୀ ସହ ସମାନ। ମାତ୍ର ଏହି ଗ୍ରହଟି ପୃଥିବୀ ଅପେକ୍ଷା ସାମାନ୍ୟ ଶିଥିଳ।
ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ ପୃଥିବୀ ସହ ପ୍ରାୟ ୭୦-୮୦ ପ୍ରତିଶତ ସମାନ ରହୁଥିବାରୁ ସହଜରେ ସେଠାରେ ଜନବସତି ସ୍ଥାପନ କରିହେବ। ମାତ୍ର ନିଶ୍ଚିତ ହେବା ପାଇଁ ବୈଜ୍ଞାନିକମାନେ ଆଉ କିଛି ଦିନ ସମୟ ଚାହିଁଛନ୍ତି। ଲୋକେ ରହିଲେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ କି ନାହିଁ ସେମାନେ ନିଶ୍ଚିତ କଲା ପରେ ହିଁ ସେ ସଂପର୍କରେ ଆଉ କିଛି ଭବା ଯାଇପାରେ।