କୋଟା: ରାଜସ୍ଥାନର କୋଟାରେ ସୋମବାର ଜଣେ ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଭଳି ମାମଲା ୨୮ରେ ପହଞ୍ଚିଛି। ଏହି ଛାତ୍ର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା ଫୌରୀଦ ହୁସେନ। ନିଟ୍ ଆଶାୟୀ ହୁସେନଙ୍କ ମୃତଦେହ ସହରର ଓ୍ୱାକଫ ନଗର ଅଞ୍ଚଳରେ ଥିବା ତାଙ୍କ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଜଣକ ଭଡ଼ା ଘରେ ରହୁଥିଲେ ଏବଂ ଅନ୍ୟ କିଛି ଛାତ୍ର ମଧ୍ୟ ରହୁଥିଲେ। ଛାତ୍ରମାନେ କହିଛନ୍ତି ଯେ ସେମାନେ ଅପରାହ୍ଣ ପ୍ରାୟ ୪ଟାରେ ହୁସେନଙ୍କୁ ଶେଷ ଥର ପାଇଁ ଦେଖିଥିଲେ, ଯାହା ପରେ ତାଙ୍କ କୋଠରି ପ୍ରାୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭିତରୁ ବନ୍ଦ ଥିଲା।
ହୁସେନ ଫୋନର ଉତ୍ତର ନ ଦେବାରୁ ତାଙ୍କ ସାଙ୍ଗମାନେ ଘର ମାଲିକଙ୍କୁ କହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ କହିଛି ଯେ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରାଯାଉଛି ଏବଂ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। କୋଟାରେ ଗତ କିଛିମାସ ହେବ ଛାତ୍ର ଆତ୍ମହତ୍ୟା ମାମଲା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କର୍ତ୍ତୃପକ୍ଷ ଏବେ ସମସ୍ତ କୋଚିଂ ସେଣ୍ଟରରେ ସିଲିଂ ଫ୍ୟାନରେ ଆଣ୍ଟି ହ୍ୟାଙ୍ଗିଙ୍ଗ୍ ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ କରିବା ସହ ଦୁଇ ମାସ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।