ପଞ୍ଜାବ ଜେଲରୁ ମଗାଯାଇଥିବା ୨୦୦ କୋଟିର ଡ୍ରଗ୍ସକୁ ଜବତ କଲା ଏଟିଏସ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (ଏଟିଏସ)ର ମିଳିତ ଅପରେସନରେ ବୁଧବାର ଦିନ ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରାଯିବା ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି | ଏହି ଡଙ୍ଗାରେ ୪୦ କିଲୋଗ୍ରାମ ଡ୍ରଗ୍ସ ଥିବାବେଳେ ଏବେ ଏହାକୁ ନେଇ ସଙ୍ଗୀନ ସୁରାକ ଏଟିଏସ ହାତରେ ଲାଗିଛି | ଏବାବଦରେ ସୂଚନା ଦେଇ ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ତଟରକ୍ଷୀ ବାହିନୀ ସହିତ ମିଳିତ ଅପରେସନ୍ ବେଳେ ରାଜ୍ୟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି।

ପଞ୍ଜାବର ଏକ ଜେଲରେ ଥିବା ଜଣେ ଅପରାଧୀ ଏହି ଡ୍ରଗ୍ସ ଅର୍ଡର କରିଥିଲା । ଗୁଜୁରାଟ ଏଟିଏସର ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ଜେଲ ଭିତରେ ଥିବା ଜଣେ ବିଦେଶୀ ନାଗରିକ ପାକିସ୍ତାନରୁ ଏହି ଡ୍ରଗ୍ସ ମଗାଇଥିଲେ | ପାକିସ୍ତାନରୁ ଆସିଥିବା ସାମଗ୍ରୀ ଗୁଜୁରାଟକୁ ଯାଉଥିଲା ଏବଂ ତା’ପରେ ଏହାକୁ ପଞ୍ଜାବକୁ ନିଆଯାଇଥାନ୍ତା। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ପୁଲିସକୁ ବିଦେଶୀ ନାଗରିକଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ଦିଆଯାଇଛି।

ଅଧିକାରୀ କହିଛନ୍ତି ଯେ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଏଟିଏସ ଅଧିକାରୀ କହିଛନ୍ତି ଯେ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା | ଉଲ୍ଲେଖ ଥାଉ କି ଏହା ପୂର୍ବରୁ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୯୮୮ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା | ଯାହାର ମୂଲ୍ୟ ପାଖାପାଖି ୨୧ ହଜାର କୋଟି ଟଙ୍କା ଥିଲା |

ସମ୍ବନ୍ଧିତ ଖବର